ଝାରସୁଗୁଡା ଉପନିର୍ବାଚନ: ମେ’ ୧୦ରେ ଭୋଟ୍‌ ଗ୍ରହଣ, ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଝାରସୁଗୁଡା ଉପନିର୍ବାଚନ ନେଇ  ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ  ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।