ରାମନବମୀରେ ଅଘଟଣ: ପୂର୍ବରୁ ବଡ଼ପୁଅକୁ ହରାଇଥିଲେ ନାଥ ପରିବାର

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ସିମୁଳିଆ ଗାଁରେ ପୁଣି ଥରେ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ନାଥ ପରିବାର ପୂର୍ବରୁ ବଡ଼ପୁଅକୁ ହରାଇଥିଲା ବେଳେ ଆଜି ସାନପୁଅ ପାଣିରେ ବୁଡ଼ିଯାଇଛି। ଏହି ଅଘଟଣକୁ ନେଇ ନାଥ ପରିବାର ସମେତ ପୂରା ଗାଁ ସ୍ତବ୍ଧ ରହିଛି। ୨୦୧୩ ମସିହା ରାମନବମୀ ଦିନ ବଡ଼ଭାଇ ସୁରେଶ ନାଥ ମହାନଦୀରେ ବୁଡ଼ିଯାଇଥିଲା। ଆଜି ୧୨ ବର୍ଷୀୟ ନାବାଳକ ପରେଶ ନାଥ ଗାଁ ପୋଖରୀରେ ବୁଡ଼ି ଯାଇଛି।

ସୂଚନା ଅନୁସାରେ କୁନା ନାଥଙ୍କ ସାନ ପୁଅ ପରେଶ ମଧ୍ୟାହ୍‌ଣରେ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲା। ସେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ। କିନ୍ତୁ ପରେଶକୁ ପାଇ ନଥିଲେ। ଗାଁର କିଛି ଲୋକ ପୋଖରୀ ପାଖରେ ପାଦ ଚି଼ହ୍ନ ଥିବା ଦେଖିଥିଲେ। ପୋଖରୀରେ ପଡ଼ିଥିବା ସନ୍ଦେହ କରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରେଶକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।