ଧସେଇ ପଶୁଛି ଆନ୍ଧ୍ର, ଓଡ଼ିଶା ନୀରବ

‘ଗଞ୍ଜାମ ଜିଲ୍ଲାରେ ସୀମା ବିବାଦ ନାହିଁ’। ରାଜ୍ୟ ସରକାର ବିଧାନସଭାରେ କେତେ ସ୍ପଷ୍ଟୀକରଣ ରଖିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। କାରଣ ବ‌ର୍ଷ ବର୍ଷ ଧରି ପାତ୍ରପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ତୁମ୍ବା ଓ ବୁରାତାଲ୍ ପଞ୍ଚାୟତର ଅନେକ ସୀମାନ୍ତ ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ଥିତି ଜାହିର୍ କରି ଆସୁଛନ୍ତି। ଅର୍ଦ୍ଧାଧିକ ଗ୍ରାମକୁ ନିଜ ଅଧୀନକୁ ନେବା ଲକ୍ଷ୍ୟରେ ଖୁଲମଖୁଲା ଅନୁ‌ପ୍ରବେଶ ଚାଲିଥିବା ବେଳେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଯେମିତି ନିଦାବିଷ୍ଣୁ ପାଲଟି ଯାଇଛନ୍ତି। ସମାଧାନର କୌଣସି ବାଟ ବାହାରୁନି।

ପୂର୍ବରୁ ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍, ରାସ୍ତା, ସ୍ବାସ୍ଥ୍ୟସେବା, ଘରକୁ ଘର ରାସନ୍ ଯୋଗାଇବା, ଗ୍ରାମବାସୀଙ୍କ ନାମରେ ଭୋଟର୍ ପରିଚୟପତ୍ର ଏବଂ ଆଧାରକାର୍ଡ଼ କରିବା ସହ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ସମେତ ବିଭିନ୍ନ ସୁବିଧା ଦିଆ ଯାଉଥିବାର ନଜିର୍ ରହିଛି।