ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଜେଲ୍‌ ଗଲେ ଶିକ୍ଷକ

ବହି କିଣି ଦେବା କହି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ହାଇସ୍କୁଲ ଶିକ୍ଷକ ସତ୍ୟନାରାୟଣ ନ‌ାଏକ (୪୬ବର୍ଷ) ଜେଲ୍‌ ଯାଇଛନ୍ତି। ପୁଲିସର ସୂଚନା ଅନୁସାରେ, ଶିକ୍ଷକ ସତ୍ୟନାରାୟଣ ପାଟଣାଗଡ଼ କଲେଜ ଛକ ନିକଟରେ ଏକ ଭଡ଼ାଘରେ ରହୁଥିଲେ। କିଛିଦିନ ତଳେ ଉକ୍ତ ପୀଡ଼ିତା ଛାତ୍ରୀଙ୍କୁ ବହି କିଣି ଦେବା ପାଇଁ ପାଟଣାଗଡ଼ ଆଣୁଥିଲେ। ବାଟରେ ଏକ କପା କିଆରିକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ପାଟି କରି କୌଣସି ମତେ ପଳାଇ ଯାଇଥିଲେ।

ଏନେଇ ପରିବାର ଲୋକେ ଜାଣିବା ପରେ ଗତ ବୁଧବାର ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଅଭିଯୁକ୍ତ ଶିକ୍ଷକ ସେମାନଙ୍କ ସହ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ସମାଧାନ ହୋଇ ପାରି ନଥିଲା। ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ ସହ ‌ଶିଶୁ ନିର୍ଯାତନା ଆଇନ ବଳରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସତ୍ୟନାରାୟଣଙ୍କୁ ଗିରଫ କରିଥିଲା। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା।