ଅନୁଗୁଳ ଶଙ୍କର ସିନେମା ରୋଡ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨ ବାଇକ୍‌ ସହ ୨୦ ଲକ୍ଷର କପଡ଼ା ଛାର୍‌ଖାର୍‌

ଯାହା ଆଶଙ୍କା କରାଯାଉଥିଲା, ସେୟା ହିଁ ହୋଇଛି। ବିନା ଅଗ୍ନି ନିରାପତ୍ତାରେ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ନିଆଁ ଭୟଙ୍କର ରୂପ ନେଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍‌ ସର୍ଟସର୍କିଟ୍ ବୋଲି କୁହାଯାଉଛି। ବିଦ୍ୟୁତ୍‌ ପ୍ୟାନେଲ୍ ବୋର୍ଡରୁ ସୂତ୍ରପାତ ହୋଇଥିବା ପ୍ରଥମ ନିଆଁ ତଳ ସୋ’ ରୁମ୍‌ ସହିତ ଉପର ଦୁଇ ମହଲା କୋଠାକୁ ଜାଳି ଦେଇଛି। ଘଟଣାରେ ୨୦ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଛାରଖାର୍‌ ହୋଇଛି।

ସୂଚନା ମୁତାବକ, ଏ ଘଟଣା ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘଟିଥିଲା। ପ୍ରାୟ ଦୁଇବର୍ଷ ତଳେ ଖୋଲାଯାଇଥିବା ଏହି ସୋ’ ରୁମ୍‌ରେ ସନ୍ଧ୍ୟାରେ ଥିଲା ଭିଡ଼।  ଦୋକାନରେ ଗ୍ରାହକମାନେ ଥିଲେ। ଏହି ସମୟରେ ହଠାତ୍‌ ଦୋକାନ ପ୍ରବେଶ ପଥର ବାମ ପଟେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିଲା। ସେହିଠାରୁ ନିଆଁ ସୂତ୍ରପାତ ହୋଇ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଥିଲା। ସୋ’ ରୁମ୍‌ରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ସାମ୍ନା ସ୍ଥିତ ସୋ’ ରୁମ୍‌ କର୍ତୃପକ୍ଷ ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁକୁ ଲିଭାଇବାକୁ ଗଲା ବେଳକୁ ହଠାତ୍‌ ପ୍ୟାନେଲ୍ ବୋର୍ଡରେ ବିସ୍ଫୋରଣ ହୋଇଥିଲା।