ରାମ ନବମୀରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାଜଲ ହିନ୍ଦୁସ୍ତାନୀ ଗିରଫ

ଗୁଜରାଟର ଉନାରେ ରାମ ନବମୀ ଅବସରରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାଜଲ ହିନ୍ଦୁସ୍ତାନୀଙ୍କୁ ଗିରଫ କରିଛି ପୁଲିସ। କାଜଲ ହିନ୍ଦୁସ୍ତାନୀଙ୍କ ଉତ୍ତେଜନାମୂଳକ ଭାଷଣ ପରେ ଉନାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ପୁଲିସ କାଜଲ ହିନ୍ଦୁସ୍ତାନୀଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସେ ଫେରାର ହୋଇଯାଇଥିଲେ। ଏହି କ‌ାରଣରୁ ପୁଲିସ ତାଙ୍କୁ ଗିରଫ କରିପାରିନଥିଲା। ହେଲେ ଆଜି ବେରାବଲ ପୁଲିସ ଷ୍ଟେସନରେ କାଜଲ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ମାର୍ଚ୍ଚ ୩୦ରେ ‌କାଜଲ ଦେଇଥିବା ଉତ୍ତେଜନାମୂଳକ ଭାଷଣ ପାଇଁ ଉନାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏନେଇ ପୁଲିସ ଏତଲା ରୁଜୁ କରିବା ଜାଣି ସେ ଫେରାର ଥିଲେ ବି ଆଜି ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଏବେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।