୮୮ ବର୍ଷରେ ଓଡ଼ିଆ ସିନେମା

୨୦୨୨ ମସିହା ସରୁ ସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ସୂର୍ଯ୍ୟୋଦୟର ଆଶା ସୃଷ୍ଟି ହେଲା। ‘ଦମନ’ ରେକର୍ଡ ପରେ ରେକର୍ଡ ଭାଙ୍ଗି ପାଖାପାଖି ୫ କୋଟି ଟଙ୍କା ଆୟ କଲା। ଖାଲି ବ୍ୟବସାୟିକ ଦୃଷ୍ଟିରୁ ନୁହେଁ, ସିନେ ସମୀକ୍ଷକ ହୁଅନ୍ତୁ ବା ଦର୍ଶକ; ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା କଲେ। ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ଡବିଂ ହେଲା। ପରେ ପରେ ଆସିଲା ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏକ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ନିର୍ମିତ ‌ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ନିଜ ଘରର କଥା ଭଳି ଲାଗିଲା। ଚଳଚ୍ଚିତ୍ର ହଲ୍‌ରେ ପ୍ରାୟ ୩ ମାସ ଧରି ଚାଲିଲା।

ଦୁଇ ଦୁଇଟି ଚଳଚ୍ଚିତ୍ରର ଏଭଳି ସଫଳତା ପରେ ଓଡ଼ିଆ ଦର୍ଶକ ଆଶ୍ବସ୍ତ ହେଲେ ଓ ପୁଣି ଓଡ଼ିଆ ଚଳଚ୍ଚିତ୍ର ଅଣ୍ଟା ସଳଖିବ ବୋଲି ଆଶା ସୃଷ୍ଟି ହେଲା। ଏହା ଭିତରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଚର୍ଚ୍ଚାକୁ ବି ଆସିଛି। କିନ୍ତୁ ଅଧିକ ଦିନ ହଲ୍‌ରେ ରହିପାରିନି କି ଦର୍ଶକଙ୍କୁ ଟାଣିବାରେ ସକ୍ଷମ ହୋଇନି। ଗତ କିଛି ବର୍ଷ ହେଲା ବିପର୍ଯ୍ୟସ୍ତ ଏହି ଶିଳ୍ପକୁ କ’ଣ ମାତ୍ର ଦୁଇଟି ଚଳଚ୍ଚିତ୍ର ଉଠାଇ ପାରିବ? କମ୍‌ ବଜେଟ୍‌, ଅଭିଜ୍ଞ ଅଭି‌ନେତା ଓ ତାରକା ଚେହେରାର ଅଭାବ, ପ୍ରଶିକ୍ଷଣର ଅଭାବ ଆଦି ଓଡ଼ିଆ ଚଳଚ୍ଚିତ୍ର ଜଗତର ଉତ୍‌ଥାନରେ ପ୍ରତିବନ୍ଧକ ସାଜିଛି। ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ୮୮ ବର୍ଷରେ ପଦାର୍ପଣ କରୁଥିଲା ବେଳେ ଏସବୁ ଦିଗକୁ ଗୁରୁତ୍ବର ସହ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।