ଚଳଚ୍ଚିତ୍ର ‘କେରଳ ଷ୍ଟୋରି’କୁ ନେଇ ବିବାଦ

ରାଜ୍ୟରୁ ନିରୁଦ୍ଦିଷ୍ଟ ହୋଇ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ଯୋଗ ଦେଇଥିବା ୩୨,୦୦୦ ମହିଳାଙ୍କ କାହାଣୀକୁ ଦର୍ଶାଉଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ରେ ଯେଉଁ ‘ଅଭିଯୋଗ’ ଆସିଛି, ତାକୁ ଯେଉଁ ବ୍ୟକ୍ତି ପ୍ରମାଣିତ କରିଦେବ ତାଙ୍କୁ ଏକ ମୁସଲିମ ସଂଗଠନ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି।

କେରଳ ଷ୍ଟେଟ୍‌ କମିଟି ଅଫ୍‌ ମୁସଲିମ୍‌ ୟୁଥ୍‌ ଲିଗ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜାରି ଘୋଷଣାନାମାରେ କୁହାଯାଇଛି ଯେ ଚଳଚ୍ଚିତ୍ରରେ ଦାବି ପଛର ପ୍ରମାଣ ପ୍ରଦାନ ପାଇଁ ଗୋଟିଏ ଗୋଟିଏ ସଂଗ୍ରହ କେନ୍ଦ୍ର ମେ’ ୪ ତାରିଖରେ ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ। ଯେ କେହି ବି ଏହାର ପ୍ରମାଣ ବହନ କରୁଥିବା ବିବରଣୀ ଏହି ସଂଗ୍ରହ କେନ୍ଦ୍ରରେ ପକାଇପାରିବେ। ‘୩୨ ହଜାର କେରଳବାସୀ ଧର୍ମ ପରିବର୍ତ୍ତନ କରି ସିରିଆ ପଳାଇଯାଇଥିବା ଅଭିଯୋଗକୁ ପ୍ରମାଣିତ କରନ୍ତୁ। ଚାଲେଞ୍ଜକୁ ଗ୍ରହଣ କରି ପ୍ରମାଣ ଦାଖଲ କରନ୍ତୁ’ ବୋଲି କମିଟି ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ମେ’ ୫ ତାରିଖରେ ବଡ଼ ପରଦାକୁ ଆସିବାକୁ ଥିବା ଏହି ସିନେମାକୁ ନେଇ ବିଭିନ୍ନ ନେତା ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏହାକୁ କେନ୍ଦ୍ରକରି ଏବେ ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।