ଜାଲ୍ ୱେବ୍‌ସାଇଟ୍‌ ଖୋଲି ଠକିନେଲେ ୩୯.୧୧ କୋଟି

ମିଛ ୱେବ୍‌ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୯୧ ହଜାର ଟଙ୍କା ପୁଲିସ୍ ଫ୍ରିଜ୍‌ କରିବାକୁ ସମର୍ଥ ହୋଇଥିବା ସୂଚନା ରହିଛି।

ଇଓଡବ୍ଲୁ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଠକମାନେ ଏକ ଜାଲ୍ ୱେବସାଇଟ୍‌ http://www.smsmvip.com ଖୋଲି ଏହାକୁ  ‘ମାରାଥନ ଡିଜିଟାଲ ହୋଲଡିଂ’ ନାମକ ଏକ ପୁଞ୍ଜିନିବେଶ ସଂସ୍ଥାର ୱେବ୍‌ସାଇଟ୍‌ ବୋଲି ଦର୍ଶାଇଥିଲେ । ଅତିକମରେ ଦିନକୁ ୧୦୦୦ ଟଙ୍କା ଓ ସର୍ବାଧିକ ୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରି ଅତିରିକ୍ତ ରୋଜଗାର କରନ୍ତୁ ବୋଲି ୱେବ୍‌ସାଇଟ୍‌ ତରଫରୁ ପ୍ରଲୋଭନ ଦିଆଯାଇଥିଲା।