ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା: ତିନି ଅଭିଯୁକ୍ତ ଅଟକ

ଭୁବନେଶ୍ବର: ନୂଆପଲ୍ଲୀ ଭୋଇସାହିସ୍ଥିତ ଲେଡିଜ୍ ହଷ୍ଟେଲରେ ପଶି ଆତଙ୍କ ଖେଳାଇଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାର ଖବର ମିଳିଛି। ସିସିଟିଭି ଫୁଟେଜ ଦେଖିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। ଆଜି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପରେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଉଗ୍ରତାରା ହଷ୍ଟେଲ ନିକଟକୁ ଆସି କିଛି ଯୁବକ ହଙ୍ଗାମା କରିଥିଲେ। କଦର୍ଯ୍ୟ ଭାଷାରେ ଗାଳିମନ୍ଦ କରିବା ସହ ହଷ୍ଟେଲକୁ ଟେକା ପଥର ମାରିଥିଲେ। ଫଳରେ କାଚ ଝରକା ଭାଙ୍ଗିଯାଇଥିଲା ଏବଂ ହଷ୍ଟେଲ ପରିସରରେ ଥିବା ଗାଡ଼ିଗୁଡ଼ିକ ଭାଙ୍ଗି ଯାଇଥିଲା।

କାଚ ଝରକା ଭାଙ୍ଗିଯିବାରୁ ୩୦/୪୦ ଅନ୍ତେବାସୀ ଭୟରେ ହଷ୍ଟେଲ ପଛକୁ ଯାଇ ଲୁଚିବାକୁ ଚେଷ୍ଟା କରିଥିଲେ। ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଲୀଳାବତୀ ସ୍ବାଇଁ ପୁଲିସକୁ ଫୋନ୍ କରିବା ସହ ସାହସ କରି ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିଥିଲେ।
କିନ୍ତୁ ସେମାନେ ତାଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ।