ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣମୋଡ

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି।‌ ରଥଯାତ୍ରାର ଆଜି ଷଷ୍ଠ ଦିବସରେ ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ବୁଧବାର ରଥର ଦକ୍ଷିଣମୋଡ କରାଯାଇଛି।‌ ତେବେ ଆସନ୍ତା ୮ତାରିଖ ନବମୀ ତଥା ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଅପରାହ୍ନ ୪ଟା ଯାଏଁ ଦର୍ଶନ କରିପାରିବେ। ଜିଲ୍ଲାପାଳଙ୍କ ସହ ଦଇତାପତି ଓ ଅନ୍ୟ ସେବାୟତ ନିଯୋଗଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ମଙ୍ଗଳବାର ହେରାପଞ୍ଚମୀ ଅବସରରେ ନନ୍ଦିଘୋଷ ରଥ ଭଙ୍ଗା ନୀତି ସମ୍ପନ୍ନ ପରେ ବୁଧବାର ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି। ଆସନ୍ତା ୯ ତାରିଖରେ ବାହୁଡାଯାତ୍ରା । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ସହ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିଥିଲେ। ତିନି ରଥରେ ଆଜ୍ଞାମାଳ ଦେବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ବାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା।