ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍ ରହିଲେ, ଅଚେତ ହେବା ଭଳି ଲାଗୁଛି। ୪ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି ପକାଇଲାଣି। ବିଶେଷ କରି ଆଜି ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର। ଏବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ବଡ଼କଥା ଯେ ଗତକାଲି ଝାରସୁଗୁଡାରେ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଆଜି ମଧ୍ୟ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି |
ଝାରସୁଗୁଡା ସହ ବୌଦ୍ଧରେ ମଧ୍ୟ ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି | ବୌଦ୍ଧ ଓ ଝାରସୁଗୁଡା ତଳକୁ ସମ୍ବଲପୁରରେ ୪୩.୩ ଡିଗ୍ରୀ, ତାଳଚେରରେ ୪୧ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ସୁନ୍ଦରଗଡରେ ୪୨.୧ ଡିଗ୍ରୀ, ବଲାଙ୍ଗୀରରେ ୪୧.୨ ଡିଗ୍ରୀ, ହୀରାକୁଦରେ ୪୨.୩ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ, ବରଗଡରେ ୪୦.୨ ଡିଗ୍ରୀ, ସୋନପୁରରେ ୪୧.୩ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୧ ଡିଗ୍ରୀ, ନୟାଗଡରେ ୪୦.୨ ଡିଗ୍ରୀ, ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଗରମ ଯୋଗୁଁ ପଶ୍ଚିମ ଓଡ଼ିଶା ଅସ୍ତବ୍ୟସ୍ତ ହେଉଛି। ସେହିଭଳି ଆଜି ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରୀ ରହିଥିବା ବେଳେ କଟକରେ ଥିଲା ୩୮.୫ ଡିଗ୍ରୀ ।