ପୁଣି ବିବାଦରେ ଫସିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ

ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଓ ବିତର୍କ ଘେରରେ ରହି ଆସିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ପୁଣିଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। ସଂପ୍ରତି ରାଜ୍ୟସଭା ସାଂସଦ ଥିବା ତଥା ଦେଶର ପୂର୍ବତନ ପ୍ରଧାନ ବିଚାରପତି ରହିଥିବା ରଂଜନ ଗୋଗୋଇଙ୍କ ବିରୋଧରେ ଆସାମ ପବ୍ଲିକ୍‌ ୱାର୍କସ (ଏପିଡବ୍ଲ୍ୟୁ)ର ସଭାପତି ଅଭିଜିତ ଶର୍ମା ୧ କୋଟି ଟଙ୍କାର ମାନହାନି ମାମଲା ଆଗତ କରିଛନ୍ତି ଏବଂ ତାଙ୍କ ଆତ୍ମଜୀବନୀ ଉପରେ ରୋକ୍‌ ଲଗାଇବା ପାଇଁ ଅଦାଲତରେ ଏକ ପିଟିସନ୍‌ ଦାଖଲ କରିଛନ୍ତି।

ରଂଜନ ଗୋଗୋଇଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍‌ ଫର୍‌ ଦ ଜଜ୍‌’ ପାଇଁ ଲେଖକ ଗୋଗୋଇ ଓ ପ୍ରକାଶକ ରୂପା ପବ୍ଲିକେସନ୍‌ ବିରୋଧରେ ବିଭ୍ରାନ୍ତିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଶର୍ମା ମାନହାନି ମାମଲା ରୁଜୁ କରିଛନ୍ତି। ଏଥିସହ ଗୋଗୋଇ ଓ ତାଙ୍କ ପ୍ରକାଶକଙ୍କ ବିରୋଧରେ ଅପମାନଜନକ ବୟାନ ଓ ଆରୋପ ଥିବା କୌଣସି ପୁସ୍ତକ ପ୍ରକାଶନ, ବିତରଣ କିମ୍ବା ବିକ୍ରୟ ଉପରେ ରୋକ୍‌ ଲଗାଇବା ପାଇଁ ସେ ଅନ୍ତରୀଣ ନିଷେଧାଦେଶ ଜାରି କରିବାକୁ ମଧ୍ୟ ଅଦାଲତରେ ଆଗତ କରିଥିବା ଯାଚିକାରେ ଆବେଦନ କରିଛନ୍ତି। ଏହି ମାମଲା ଗୌହାଟିର କାମରୂପ  ଜିଲ୍ଲା ଅଦାଲତରେ ଆଗତ କରାଯାଇଛି।