ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ପ୍ରଥମ ଇଣ୍ଡିଗୋ ବିମାନ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଉଡ଼ାଣ ଭରିବ।

ପ୍ରାରମ୍ଭିକ ଟିକେଟ୍ ମୂଲ୍ୟ ୧୦,୦୦୦ ଟଙ୍କା ରହିଛି

ଭୁବନେଶ୍ୱର : ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ପ୍ରଥମ ବିମାନ ଉଡ଼ାଣ କରିବ। ଇଣ୍ଡିଗୋ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ସନ୍ଧ୍ୟା ୬ଟା ୩୦ରେ ଉଡ଼ାଣ ଭରି ରାତି ୯ଟା ୪୫ରେ ଦୁବାଇ ବିମାନବନ୍ଦରରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦରରେ ଦୁବାଇ ବିମାନର ଶୁଭାରମ୍ଭ କରିବେ।
ଇଣ୍ଡିଗୋ ପକ୍ଷରୁ ସପ୍ତାହକୁ ୩ ଥର ସୋମବାର, ବୁଧବାର ଓ ଶୁକ୍ରବାର ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବା ପ୍ରଦାନ କରାଯିବ। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାରମ୍ଭିକ ଟିକେଟ୍ ମୂଲ୍ୟ ସେକ୍ଟର ପିଛା ୧୦,୦୦୦ ଟଙ୍କା ରହିଛି। ଏହି ବିମାନରେ ପ୍ରଥମ ଦିନରେ ମାତ୍ର ୧୭୦ ଜଣ ଯାତ୍ରୀ ଦୁବାଇ ଯାତ୍ରା କରିବେ। ରାଉଣ୍ଡ ଟ୍ରିପ୍ ପାଇଁ ଟିକେଟ୍ ମୂଲ୍ୟ ପ୍ରାରମ୍ଭିକ ଅଫର ଭାବେ ୨୦,୦୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ଏହି ସେବା ଓଡ଼ିଶାବାସୀଙ୍କୁ ସହଜରେ ଓ ସୁଲଭ ମୂଲ୍ୟରେ ଉପସାଗରୀୟ, ୟୁରୋପ ଓ ପାଶ୍ଚାତ୍ୟ ଦେଶକୁ ଯିବାର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ପର୍ୟ୍ୟଟନର ବିକାଶ ପାଇଁ ବାଟ ଖୋଲିବ। ଏହା ଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ।
ସୂଚନାନୁସାରେ, ଏପ୍ରିଲ ପହିଲାରେ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ପାଇଁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିଥିଲେ। ପ୍ରଥମ ୮ଟି ଟିକେଟ୍ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମହିଳା, କ୍ରୀଡ଼ାବିତ୍, ଆଦିବାସୀ ନେତ୍ରୀ ଓ କଳାକାରଙ୍କୁ ବଣ୍ଟନ କରିଥିଲେ।