ଶପଥ ନେଲେ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସ

ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଲେ

ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ରୀତା ସାହୁ ଉପସ୍ଥିତ ଥିଲେ

ଭୁବନେଶ୍ୱର : ଝାରସୁଗୁଡ଼ାର ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବାର ଦୁଇ ଦିନ ପରେ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ବିଧାନସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବିଧାନସଭା ସଦସ୍ୟ ରୀତା ସାହୁଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କ କାର୍ୟ୍ୟାଳୟ କକ୍ଷରେ ତାଙ୍କୁ ଶପଥ ପାଠ କରାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୧୦ଟା ୪୫ରେ ଦୀପାଳିଙ୍କ ଶପଥ ଗ୍ରହଣ ଉସôବ ଆରମ୍ଭ ହୋଇଥିଲା । ଶପଥ ପାଠ କରିବା ପରେ ଦୀପାଳି କହିଛନ୍ତି ଯେ, ସ୍ୱର୍ଗତ ପିତା ନବ ଦାସଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବି । ଝାରସୁଗୁଡ଼ାରେ ଏବେଠାରୁ ବିକାଶ ପ୍ରକ୍ରିୟା ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଦୀପାଲି ତାଙ୍କ ଭାଇ ବିଶାଳ ଦାସଙ୍କ ସହ ରବିବାର ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଝାରସୁଗୁଡ଼ାରେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଭୋଟ ମାଗିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଏହି ବିଜୟ ଝାରସୁଗୁଡ଼ାବାସୀ ଓ ମୁଖ୍ୟମନ୍ତ୍ରୀଙ୍କର। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଦୀପାଲିଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଲେଖିଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜେଡି ପ୍ରାର୍ଥୀ ଦୀପାଲି ଦାସଙ୍କୁ ଭେଟି ଝାରସୁଗୁଡ଼ାର ବିକାଶ ପାଇଁ ନିଷ୍ଠାର ସହ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ।