ଓଲଟିଲା ଯାତ୍ରୀବାହୀ ବସ୍: ୫ ଓଡ଼ିଆ ମୃତ, ୩୦ ଆହତ

ମାଲକାନଗିରି: ଯାତ୍ରୀବାହୀ ବସ୍ ଓଲଟିବାରୁ ୫ ମୃତ, ୩୦ ଆହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଭଦ୍ରାଚଳମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଘର ନବରଙ୍ଗପୁର ଓ ଭବାନୀପାଟଣାର ବୋଲି ସୂଚନା ମିଳିଛି।

ଆଜି ଭୋରରୁ ଯାତ୍ରୀବାହୀ ବସ୍‌ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଅଭିମୁଖେ ଆସୁଥିଲା। ଏହି ସମୟରେ ବୋଡୁଗୁଡ଼ମ୍ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ଆନ୍ଧ୍ର ପୁଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଯାତ୍ରୀମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ବୋଡୁଗୁଡ଼ମ୍ ନିକଟରେ ଟ୍ରନିଂ ପଏଣ୍ଟ ଥିଲା। ବସ୍‌ଟି ଦ୍ରୁତ ଗତିରେ ଆସି ରେ ଟ୍ରନିଂ କାଟୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବସ୍‌ରେ ଶ୍ରମିକ ଶ୍ରେଣୀର ଲୋକଥିବା ଜଣାଯାଇଛି।