ରଣପୁର ଅଞ୍ଚଳରେ ବାରମ୍ବାର ଗଜରାଜଙ୍କ ଆତଙ୍କରାଜ: ହାତୀ ଆକ୍ରମଣରେ ଜଣେ ଗୁରୁତର
ରଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସଙ୍କଟାପନ୍ନ ଅବସ୍ଥାରେ ଆହତଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସପିଟାଲ୍ ସ୍ଥାନାନ୍ତରିତ
ଗୁରୁତର ଆହତବ୍ୟକ୍ତି ରଣପୁର ବ୍ଲକ୍ ଝାଡ଼ପଡା ଗାଁ’ର
ରଣପୁର,୨୩|୫(ଦର୍ଶନ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ରଣପୁର ଫରେଷ୍ଟ ରେଞ୍ଜ୍ ଅଧିନରେ ରଣପୁରର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି ହାତୀପଲ୍ଲଙ୍କ ଆକ୍ରମଣରେ ଶିକାର ହୋଇ ସଙ୍କଟାପନ୍ନ ଅବସ୍ଥାରେ ଜନୈକ ବ୍ୟକ୍ତି ରଣପୁର ହସ୍ପିଟାଲରୁ ଭୁବନେଶ୍ୱର କ୍ୟାପିଟାଲ୍ ହସପିଟାଲକୁ ସ୍ଥାନାନ୍ତରିତ ହେବା ଘଟଣା ରଣପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାରୁ ପ୍ରକାଶ ଯେ,ରଣପୁର ବ୍ଳକର ଝାଡ଼ପଡା ପଞ୍ଚାୟତ ବଳରାମ ପୁର ସାହିର ଅମିନ ଚନ୍ଦ୍ର ପ୍ରଧାନ(୫୪)ସବୁଦିନ ଭଳି ଆଜି ଭୋର୍ ୫ଟା ବେଳେ ପ୍ରାତଃ ଭ୍ରମଣ ପାଇଁ ନିକଟସ୍ଥ କାଜୁ ଜଙ୍ଗଲକୁ ଯିବା ସମୟରେ ଆଠ କାହାଣୀ ନିକଟସ୍ଥ ତୋଟା ନିକଟରେ ହାତୀପଲ୍ଲଙ୍କ ସାମନାରେ ପଡିଥିଲେ। ସେଠାରୁ ସେ ନିଜକୁ ସୁରକ୍ଷା ଦେବାପାଇଁ ଜୀବନବିକଳରେ ଦୌଡ଼ି ପଳେଇଯିବା ପାଇଁ ଉଦ୍ୟମ କରୁଥିବା ସମୟରେ କୌଣସି କାରଣରୁ ତଳେ ପଡି ଯାଇଥିଲେ। ଏତିକିବେଳେ ଗୋଟେ ଅମାନିଆ ଦନ୍ତା ଆସି ତାଙ୍କ ଡାହାଣ ପଟ ଛାତିକୁ ଗୋଡ଼ରେ ଚାପି ଶୁଣ୍ଢରେ କଚାଡି ଦେଇ ଜଙ୍ଗଲକୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ଗ୍ରାମର ଅନ୍ୟମାନେ ପ୍ରତିଦିନ ଭଳି ନିଜନିଜ କାଜୁ ବଗିଚାକୁ ଯାଉଥିବା ସମୟରେ ରକ୍ତ ଜୁଡୁବୁଡୁ ଆଉ ସଙ୍କଟାପନ୍ନ ଅବସ୍ଥାରେ ଆହାତ ଅମିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ସେଠାରୁ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଥିବା ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଅମିନଙ୍କ ଡାହାଣ ପଟ ଛାତିର ପଞ୍ଜରା ହାଡ଼ରେ ଘୋର ଆଘାତ ଲାଗିଥିବା ସହ ଛାତିରେ ରକ୍ତ ଜମାଟ ବାନ୍ଧିଥିବା କାରଣଯୋଗୁଁ ଜରୁରୀକାଳୀନ ଅପରେସନ୍ ଦରକାର ହେଉଥିବା ଜଣା ପଡିଛି। ରଣପୁର ବନ ବିଭାଗ ତରଫରୁ କୌଣସି ଅଧିକାରୀ ଆହତବ୍ୟକ୍ତିଙ୍କ ପରିବାର ସହିତ ଯୋଗାଯୋଗ କରି ସମବେଦନା ଜଣେଇନଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି ରଣପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଧ୍ୟାନ ନଦେଇ ଆଖି ବୁଜିଦେଇଛି କ’ଣ ପାଇଁ? ଜିଲ୍ଲା ପ୍ରଶାସନ ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହିଁ କାହିଁକି? ଏଇମିତି ତମାମ୍ ପ୍ରଶ୍ନନେଇ ରଣପୁର ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ନିକଟ ଅତୀତରେ ପ୍ରାୟ ଏକମାସ ତଳେ ମହତପଲ୍ଲା ପଞ୍ଚାୟତର ଜନୈକ ବ୍ୟକ୍ତିଙ୍କ ଦନ୍ତା ହାତୀ ଆକ୍ରମଣରେ ଦେହାନ୍ତ ହୋଇଥିଲା। ଦୁଇ ତିନି ଦିନତଳେ କେରଣ୍ଡାଟାଙ୍ଗୀ ଅଞ୍ଚଳରେ ହାତୀପଲ୍ଲଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳର ପନିପରିବା ଫସଲ କରି ଜୀବିକ ନିର୍ବାହ କରୁଥିବା ଚାଷୀମାନେ ନାହିଁ ନଥିବା ସମସ୍ୟାର ସମୁଖିନ ହୋଇଥିଲେ। କେବଳ ଏତିକି ନୁହେଁ ଉକ୍ତ ବ୍ଳକର ମୟୂରଝାଲିଆ,ହରିହର ପୁର, ଜଙ୍କିଆ,ଅରଖପଦା,ଚମ୍ପାଗଡ଼,ରଣ୍ଡା,ଗିରିଣ୍ଡା,କେରେଣ୍ଡାଟାଙ୍ଗୀ,ରାଇପଡା,ନାକିଠଣା,ଖଣ୍ଡିଆବନ୍ଧ,ବାରଙ୍ଗଗାଡିଆ,ଝାଡ଼ପଡା,ବୋକାଖାଇ,କାଞ୍ଚନପୁର ଆଦି ଅଞ୍ଚଳରେ ଦୀର୍ଘ ଦଶବାର ବର୍ଷ ହେଲା ହାତୀ ଉତ୍ପାତ କରୁଥିବା ଅଭିଯୋଗ ନେଇ ଅଞ୍ଚଳବାସୀ ପ୍ରାଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନ ନିଆଯିବା ଏନେଇ ସାଧାରଣରେ ସନ୍ଦେହ ଦେଖାଦେଇଛି। କି’ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ,ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଆନ୍ତରିକତା ନଥିବା ସ୍ପଷ୍ଟ ବାରିହେଇପଡୁଛି। କାରଣ ଦୀର୍ଘ ଦିନ ହେଲା ରଣପୁର ଫରେଷ୍ଟ ରେଞ୍ଜର ପଦ ଖାଲି ପଡିଛି। ପ୍ରଶ୍ନ ଉଠୁଛି ରଣପୁର ବ୍ଳକ୍ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ହୋଇଥିବା ବେଳେ ଏହାର ବନ ବିଭାଗ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାଜିଲ୍ଲା ବନଖଣ୍ଡ ଅଧିନରେ ରହିଛି। ବାରମ୍ବାର ଦାବି ସତ୍ତ୍ବେ କାହିଁକି ଏହାକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିନରେ ଅନ୍ତର୍ଭୁକ୍ତ କରାଯାଉନାହିଁ ଏନେଇ ଉଭୟ ପ୍ରଶାସନ ଓ ରାଜନେତାଙ୍କ ଉପରକୁ ଅଙ୍ଗୁଳି ଉଠୁଛି। ଏନେଇ ସମାଜସେବୀ ସୁରନ୍ଦ୍ରନାଥ କଳସ ଆମ ଦର୍ଶନ ପ୍ରତିନିଧିଙ୍କୁ କୁହନ୍ତି ଆମ ଅଞ୍ଚଳ ହାତୀ ବସବାସ କରୁଥିବା ଅଞ୍ଚଳ ନୁହେଁ। ଆମ ଗାଁ’ ଗହଳିକୁ ସେତେବେଳେ ବାହାର ରାଜ୍ୟରୁ ଭିକ୍ଷୁକମାନେ ହାତୀ ଆଣି ଭିକ୍ଷାବୃତ୍ତି କରୁଥିବା ସମୟରେ ହାତୀ ଦର୍ଶନ କରିବା ସହିତ ପୂଜାକରି ହତୀ ମସ୍ତକରୁ ସିନ୍ଦୁରନେଇ ପରିବାରର ମଙ୍ଗଳାମନା କରୁଥିଲୁ। କିନ୍ତୁ ଏବେ ଚନ୍ଦକାରୁ ଆମ ଅଞ୍ଚଳକୁ ହାତୀପଲ୍ଲ ଆସି ଭାରି ଉତ୍ପାତ କରି ଧନଜୀବନ ନଷ୍ଟ କରୁଛନ୍ତି। ଏହା ସତ୍ତ୍ୱେ ଅଞ୍ଚଳବାସୀଙ୍କ ପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟିନଦେବା ଘୋର ପରିତାପର ବିଷୟ ସହିତ ପ୍ରଶାସନ ଏଦିଗରେ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀଙ୍କ ସମେତ ଦାବି କରିଛନ୍ତି। ଏ ସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ଯୋଗାଯୋଗ କରିବାରେ ଆହତ ଅମିନଙ୍କୁ ଜିଲ୍ଲା ରେଡକ୍ରସ୍ ତରଫରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। ଏବଂ ଖୋର୍ଦ୍ଧାଜିଲ୍ଲା ବନଖଣ୍ଡ ଅଧିନରୁ ରଣପୁର ବନାଞ୍ଚଳ କିପରି ପୃଥକ ହେବ ସେଥିପାଇଁ ଅଞ୍ଚଳବାସୀଙ୍କ ପ୍ରପୋଜାଲ୍ ସରକାରଙ୍କୁ ଖୁବଶୀଘ୍ର ଦିଆଯିବ ଓ ରଣପୁର ବନବିଭାଗ ରେଞ୍ଜର ପଦବୀ ପୂରଣ ପାଇଁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି। ସେପଟେ ରିପୋର୍ଟ ଲେଖା ଶେଷ ହେବାବେଳକୁ ରଣପୁରର ମାନ୍ୟବର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସହିତ ଆଲୋଚନା କରିବାରୁ ସେ ଏ ସମସ୍ତ ସମସ୍ୟା ପ୍ରତି ସଚେତନ ଅଛନ୍ତି। ଏବଂ ରଣପୁରବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଥିବା ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ରଣପୁର ବ୍ଳକର ୨୯ଟି ସୋସାଇଟି କିପରି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧିନରୁ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ଅନ୍ତର୍ଭୁକ୍ତ କରାଯିବା ସହିତ ଖୋର୍ଦ୍ଧାଜିଲ୍ଲା ବନଖଣ୍ଡ ଅଧିନରୁ ପୃଥକକରି କିପରି ନୟାଗଡ଼ ଜିଲ୍ଲା ବନଖଣ୍ଡର ଅନ୍ତର୍ଭୁକ୍ତ କରାଯିବ ସେନେଇ ବିଧାନସଭା ସଭାରେ ଦୁଇଦୁଇଥର ପ୍ରଶ୍ନ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ ରଖିଛନ୍ତି। ଖୁବଶୀଘ୍ର ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବେବୋଲି ଆଶା ରଖିଛନ୍ତି। ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ହାତୀ ଆକ୍ରମଣରେ ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଅମିନଙ୍କ ପାଇଁ ବ୍ୟବସ୍ଥା କରିବା ସହ ହସପିଟାଲରେ ତାଙ୍କୁ ସଂଧ୍ୟା ସୁଦ୍ଧା ସାକ୍ଷାତ କରିବେବୋଲି କହିଛନ୍ତି।