ଉତରାଖଣ୍ଡ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଉତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତିା
୧୦୦ ପ୍ରତିଶତ ବିଦ୍ୟୁତିକରଣକୁ ମଧ୍ୟ ଉଦଘାଟନ କରିଛନ୍ତି ।
ଡେରାଡୁନ : ଉତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଭର୍ଚୁଆଲ ଭାବରେ ଏହାର ଶୁଭାରମ୍ଭ କରିବା ସହିତ ୧୦୦ ପ୍ରତିଶତ ବିଦ୍ୟୁତିକରଣକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ,‘‘ଉତରାଖଣ୍ଡରେ ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଲା । ଏହି ଏକ୍ସପ୍ରେସ ଲୋକଙ୍କ ଯାତ୍ରା ସମୟକୁ ହ୍ରାସ କରିବ । ଏହି ଏକ୍ସପ୍ରେସ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରିବ । ଭାରତ ଏହାକୁ ଦେଖି ବହୁତ ଆଶାବାଦୀ ଅଛି । ସାରା ଦୁନିଆ ଏବେ ଭାରତକୁ ଦେଖିବାକୁ ଚାହୁଁଛି । ଏଭଳି ପରିସ୍ଥିତିରେ ଉତରାଖଣ୍ଡ ଭଳି ରାଜ୍ୟ ପାଇଁ ଉତ୍କୃଷ୍ଟ ସୁଯୋଗ ରହିଛି । ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ନିହାତି ସାହାଯ୍ୟ କରିବ ।’’ ମୋଦି କଂଗ୍ରେସ ସରକାରକୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାର କେବଳ ରାଜବଂଶ ବିଷୟରେ ଚିନ୍ତା କରୁଥିଲେ । ସାଧାରଣ ଲୋକଙ୍କ ପ୍ରାଥମିକତା ପ୍ରତି ଗୁରୁତ୍ୱ ଦେଉନଥିଲେ । ସେମାନେ କେବଳ ପ୍ରତିଶ୍ରୁତି ଦେଉଥିଲେ କିନ୍ତୁ ପୂରଣ କରୁନଥିଲେ । ଆମେ ଏବେ ସମସ୍ତ ପ୍ରତିଶ୍ରୁତି ପୂରଣ କରୁଛୁ ।
ସୂଚନାଯୋଗ୍ୟ, ଦିଲ୍ଲୀ-ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଏହା ୪ ଘଂଟା ୪୫ ମିନିଟ୍ ରେ ୩୦୨ କିଲୋମିଟର ଯାତ୍ରା ଅତିକ୍ରମ କରିବ ଏବଂ ବୁଧବାର ବ୍ୟତୀତ ସପ୍ତାହରେ ୬ ଦିନ ଚାଲିବ ।