ତାଣ୍ଡବ ରଚିଲା କାଳବୈଶାଖୀ ; କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି
୭ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖାଯାଇଛି ।
ଆସନ୍ତା ୨୪ ଘଂଟା ଯାଏଁ ଲାଗି ରହିପାରେ ବର୍ଷା
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଓଡିଶାକୁ ମିଳିଛି ତ୍ରାହି । ୭ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଜଗତସିଂହପୁର, ପୁରୀ, ଯାଜପୁର, ନୟାଗଡ, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାରେ କାଳବୈଶାଖୀର ପ୍ରଭାବ ପଡିଛି । କେତେକ ଜିଲ୍ଲାରେ ୨୪ ଘଂଟା ଯାଏଁ ବର୍ଷା ଲାଗି ରହିପାରେ । ତେବେ କାଳବୈଶାଖୀ ଯୋଗୁଁ ବହୁ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବହୁ ଘରର ଚାଳ, ଟିଣ ଛପର ଉଡିଲା ଓ ଘଛ ଭାଙ୍ଗିଲା । ଏ ନେଇ କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) । ବଜ୍ରପାତରେ ମୃତୁ୍ୟ ହୋଇଥିଲେ ଏବଂ ଝଡ ଯୋଗୁଁ ଘର ଭାଙ୍ଗିଥିଲେ ତୁରନ୍ତ ରିପୋର୍ଟ ଦେବାକୁ ଏସଆରସି ନିଦେ୍ର୍ଦଶ ଦେଇଛନ୍ତି । ବିଜୁଳି ଯୋଗାଣ ବ୍ୟାହତ ହୋଇଥିଲେ ତୁରନ୍ତ ସଜାଡିବାକୁ ଏବଂ ଉପୁଡିଥିବା ଗଛକୁ ଅଗ୍ନିଶମ ବାହିନୀ ଦ୍ୱାରା ତୁରନ୍ତ ହଟାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ଏସଆରସି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରିଲିଫ୍ କମିଶନରଙ୍କ ନିଦେ୍ର୍ଦଶ ରହିଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ଶୁକ୍ରବାର ସକାଳ ଯାଏଁ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ଅଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ ଓ ଖୋର୍ଦ୍ଧାର କେତେକ ସ୍ଥାନରେ ଘଡଘଡି ଓ ବିଜୁଳି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏ ନେଇ କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।