ମେ ୨୯ରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ସାମ୍ସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ନାମଲେଖା ପାଇଁ ଅନଲାଇନ ଆବେଦନ କରିପାରିବେ ।

ଜୁନ ୨୦ ଅନଲାଇନ ଫର୍ମ ଦାଖଲ କରିବାର ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୨୯ ମେରୁ ଆରମ୍ଭ ହେବ । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ ସାଧାରଣ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦ ଜୁନ୍ । ପ୍ଲସ ଟୁ ସାଇନ୍ସ, କମର୍ସ, ଆର୍ଟ୍ସ, ଉପଶାସ୍ତ୍ରୀ ଏବଂ ଭୋକେସନାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସାମ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ସାଧାରଣବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ଏବଂ ଏସସି ଓ ଏସଟି ବର୍ଗ ପାଇଁ ୧୦୦ ଟଙ୍କା ରହିଛି । ପ୍ରଥମ ଚୟନ ଯୋଗ୍ୟତା ତାଲିକା ଜୁନ ୨୮ରେ ପ୍ରକାଶ ପାଇବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଥମ ଚୟନ ଆଡମିଶନ ପ୍ରକ୍ରିୟା ଜୁନ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ଚୟନ ଯୋଗ୍ୟତା ତାଲିକା ଜୁଲାଇ ୧୩ରେ ପ୍ରକାଶ ପାଇବାକୁ ଥିବା ବେଳେ ଦ୍ୱିତୀୟ ଚୟନରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଆଡମିଶନ ଜୁଲାଇ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସ୍ପଟ ଆଡମିଶନ ପାଇଁ ଚୟନ ତାଲିକା ଜୁଲାଇ ୨୬ରେ ପ୍ରକାଶ ପାଇବ । ସୂଚନାନୁଯାୟୀ, ଚଳିତବର୍ଷ ଯୁକ୍ତ ଦୁଇ ପାଠପଢା ଆସନ୍ତା ଜୁଲାଇ ୨୯ରୁ ଆରମ୍ଭ ହେବ ।