ପୁଣି ଦଳିଲା ଦନ୍ତା; ଶ୍ରମିକଙ୍କ ମୃତ୍ୟୁ

- ସତ୍ୟବାଦୀ ଶ୍ରମିକଭାବେ କାମ କରିବାକୁ ଯାଉଥିଲେ ନିକଟସ୍ଥ କମାଗୁରୁ ଗାଁ'କୁ - ମୟୂରଝାଲିଆ କଲେଜ୍ ନିକଟରେ ଘଟିଛି ଅଘଟଣ - ଜଙ୍ଗଲ ବିଭାଗ ତରଫରୁ ଆଇନ୍ ଅନୁଯାୟୀ ରାଜ୍ୟ ସରକାରଙ୍କ ଅନୁକମ୍ପାମୂଳକ ସହାୟତା ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଯୋଗେଇଦେବ: ଜିଲ୍ଲାପାଳ

ରଣପୁର ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ

ରଣପୁର,୨୭|୫(ଦର୍ଶନ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ରଣପୁର ଫରେଷ୍ଟ ରେଞ୍ଜ୍ ଅଧିନରେ ରଣପୁରର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି ଜଣେ ଶ୍ରମିକ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ସୂଚନାରୁ ପ୍ରକାଶ ଯେ,ରଣପୁର ବ୍ଳକର ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ସତ୍ୟବାଦୀ ବେହେରା (୬୭) ଆଜି ସକାଳୁ ଘରୁ ଖାଇପିଇ ନିଜ ଅଞ୍ଚଳର ୩-୪ ଜଣ ଶ୍ରମିକ ସମେତ ନିକଟସ୍ଥ କମାଗୁରୁ ଗାଁ’କୁ ମଜୁରୀ ଲାଗିବାପାଇଁ ଯାଉଥିବାବେଳେ ମୟୂରଝାଲିଆ ରୁ କମାଗୁରୁ ରାସ୍ତାମଧ୍ୟ ଦେଇ ଯାଉଥିବା ବେଳେ ମୟୂରଝାଲିଆ କଲେଜ୍ ନିକଟସ୍ଥ କାଜୁ ତୋଟା ନିକଟରେ ହାତୀପଲ୍ଲଙ୍କ ସାମନାରେ ପଡିଥିଲେ। ସେଠାରୁ ସେମାନେ ନିଜ ନିଜକୁ ସୁରକ୍ଷା ଦେବାପାଇଁ ଜୀବନବିକଳରେ ଦୌଡ଼ି ପଳେଇଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ସତ୍ୟବାଦୀ ଏକ ଦନ୍ତା ହାବୁଡ଼ରେ ପଡିଥିଲେ ଏବଂ ତଳେ ପଡି ଯାଇଥିଲେ। ଅମାନିଆ ଦନ୍ତା ଆସି ତାଙ୍କ ଛାତିକୁ ଦଳିଦେଇ ଜଙ୍ଗଲକୁ ଚାଲି ଯାଇଥିଲା। ଅନ୍ୟ ସମସ୍ତ ଶ୍ରମିକମାନଙ୍କ ହୋ ହାଲ୍ଲା ଶୁଣି ମୟୂରଝାଲିଆ ଅଞ୍ଚଳର କିଛି ଲୋକମାନେ ଘଟଣାସ୍ଥଳକୁ ଯାଇ ସତ୍ୟବାଦୀଙ୍କୁ ଉଦ୍ଧାର କରି ଦେଖିଲାବେଳକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏହି ଖବରରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖା ଦେଇଥିବାବେଳେ ନାଟିମୀ ଗାଁ’ ଶୋକାକୁଳମୟ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ରଣପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଖୋର୍ଦ୍ଧା ଡିଏଫଓ ଅଧୀନ ରଣପୁର ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଣାପଡୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି। ରଣପୁର ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଲୋକେ ଆହତ ଓ ମୃତ ହେଉଥିଲାବେଳେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ଏଇମିତି ତମାମ୍ ଘଟଣା ରଣପୁର ଅଞ୍ଚଳରେ ବାରମ୍ବାର ଘଟୁଥିବାବେଳେ ୟାକୁ ନେଇ ଉକ୍ତ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ ଦେଖାଦେଇଛି। ଏଇ ତିନିଚାରି ଦିନ ତଳେ ଝାଡ଼ପଡା ଗ୍ରାମର ଅମିନ ବଳିୟାରସିଂହ ଦନ୍ତାହାତୀ ଆକ୍ରମଣରେ ଶିକାର ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ନିକଟ ଅତୀତରେ ପ୍ରାୟ ଏକମାସ ତଳେ ମହତପଲ୍ଲା ପଞ୍ଚାୟତର ଜନୈକ ବ୍ୟକ୍ତିଙ୍କ ଦନ୍ତା ହାତୀ ଆକ୍ରମଣରେ ଦେହାନ୍ତ ହୋଇଥିଲା। କିଛିଦିନ ତଳେ କେରଣ୍ଡାଟାଙ୍ଗୀ ଅଞ୍ଚଳରେ ହାତୀପଲ୍ଲଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳର ପନିପରିବା ଫସଲ କରି ଜୀବିକ ନିର୍ବାହ କରୁଥିବା ଚାଷୀମାନେ ନାହିଁ ନଥିବା ସମସ୍ୟାର ସମୁଖିନ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଉକ୍ତ ଅଞ୍ଚଲରୁ ହାତୀପଲ୍ଲଙ୍କୁ ଘଉଡେଇବା ପାଇଁ ବନବିଭାଗ ନିକଟରେ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଥିଲା। କେବଳ ଏତିକି ନୁହେଁ ଉକ୍ତ ବ୍ଳକର ମୟୂରଝାଲିଆ,ହରିହର ପୁର, ଜଙ୍କିଆ,ଅରଖପଦା,ଚମ୍ପାଗଡ଼,ରଣ୍ଡା,ଗିରିଣ୍ଡା,କେରେଣ୍ଡାଟାଙ୍ଗୀ,ରାଇପଡା,ନାକିଠଣା,ଖଣ୍ଡିଆବନ୍ଧ,ବାରଙ୍ଗଗାଡିଆ,ଝାଡ଼ପଡା,ବୋକାଖାଇ,କାଞ୍ଚନପୁର ଆଦି ଅଞ୍ଚଳରେ ଦୀର୍ଘ ଦଶବାର ବର୍ଷ ହେଲା ହାତୀ ଉତ୍ପାତ କରୁଥିବା ଅଭିଯୋଗ ନେଇ ଅଞ୍ଚଳବାସୀ ପ୍ରାଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନ ନିଆଯିବା ଏବଂ ଏନେଇ ବନ ବିଭାଗ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା କଥା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। କି’ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ,ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ସହିତ ଗଣମାଧ୍ୟମର ପ୍ରତିନିଧି ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ପ୍ରଶାସନିକ ଆନ୍ତରିକତା ନଥିବା ସ୍ପଷ୍ଟ ବାରିହେଇପଡୁଛି। କାରଣ ଦୀର୍ଘ ଦିନ ହେଲା ରଣପୁର ଫରେଷ୍ଟ ରେଞ୍ଜର ପଦବୀ ଖାଲି ପଡିଛି। ପ୍ରଶ୍ନ ଉଠୁଛି ରଣପୁର ବ୍ଳକ୍ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ହୋଇଥିବା ବେଳେ ଏହାର ବନ ବିଭାଗ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାଜିଲ୍ଲା ବନଖଣ୍ଡ ଅଧିନରେ ରହିଛି। ବାରମ୍ବାର ଦାବି ସତ୍ତ୍ବେ କାହିଁକି ଏହାକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିନରେ ଅନ୍ତର୍ଭୁକ୍ତ କରାଯାଉନାହିଁ ଏନେଇ ଉଭୟ ପ୍ରଶାସନ ଓ ରାଜନେତାଙ୍କ ଉପରକୁ ଅଙ୍ଗୁଳି ଉଠୁଛି। ରଣପୁର ଭଳି ସମ୍ବେଦନଶୀଳପୂର୍ଣ୍ଣ ଅଞ୍ଚଳରେ ଅଞ୍ଚଳବାସୀଙ୍କ ଦାବି ପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟିନଦେବା ଘୋର ପରିତାପର ବିଷୟ ଅଟେ। ପ୍ରଶାସନ ଏଦିଗରେ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଭବିଷ୍ୟତରେ ପ୍ରଶାସନ ଏବଂ ବନ ବିଭାଗ ଏ ଦିଗରେ ସନ୍ତୋଷଜନକ ପଦକ୍ଷେପ ନ ନିଅନ୍ତି ତେବେ ଅଞ୍ଚଳର ଜନସାଧାରଣ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରଣପୁର ଫରେଷ୍ଟ ରେଞ୍ଜର୍ ଦାୟିତ୍ୱରେ ଥିବା ଟାଙ୍ଗୀ ଫରେଷ୍ଟ ରେଞ୍ଜର୍ ଦେବାଶିଷ ଭୋଇ କୁହନ୍ତି ଖୋର୍ଦ୍ଧା ଫରେଷ୍ଟ ଡିଭିଜନରେ ତିନି ରେଞ୍ଜ୍ ଯଥା ବାଲୁଗାଁ,ଟାଙ୍ଗୀ ଓ ରଣପୁର ବନ ବିଭାଗକୁ ମିଶେଇ ମୋଟ୍ ୩୦ ଗୋଟି ହାତୀ ଅଛନ୍ତି। ଏକାକୀ ରଣପୁର ଫରେଷ୍ଟ ରେଞ୍ଜରେ ୧୬ ଗୋଟି ହାତୀ ଅଛନ୍ତି। ଖୋର୍ଦ୍ଧା ଡିଭିଜନର ଉକ୍ତ ଅଞ୍ଚଳ ଗୁଡିକୁ ହାତୀ ଅଭୟାରଣ୍ୟ ଘୋଷଣା ପାଇଁ ସରକାରଙ୍କ ଜଙ୍ଗଲ ବିଭାଗକୁ ଖୋର୍ଦ୍ଧା ଫରେଷ୍ଟ୍ ଡିଭିଜନ ତରଫରୁ ସରକାରଙ୍କୁ ପ୍ରପୋଜାଲ୍ ଦିଆଯାଇଛି। ରଣପୁରର ସମ୍ବେଦନଶୀଳ ପୂର୍ଣ୍ଣ ଅଞ୍ଚଳମାନଙ୍କରେ ବନ ବିଭାଗ ତରଫରୁ ପ୍ରତିଦିନ ପାଟ୍ରୋଲିଂ କରାଯାଉଛି,ସଚେତନ କରାଯାଉଛି ଏବଂ ହାତୀ ଉପଦ୍ରବ ଅଞ୍ଚରେ ଖୁବଶୀଘ୍ର ହୋର୍ଡିଂ ଲଗେଇ ଲୋକମାନଙ୍କୁ ସଚେତନ କରାଇବା ସହ ଉକ୍ତ ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯିବା ବ୍ୟବସ୍ଥା କରାଯାଉଛି। ଆଜିର ଘଟଣା ସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ଯୋଗାଯୋଗ କରିବାରୁ ମୃତ ସତ୍ୟବାଦୀଙ୍କୁ ଜିଲ୍ଲା ରେଡକ୍ରସ୍ ତରଫରୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ରଣପୁର ତହସିଲଦାରଙ୍କୁ କୁହାଯାଇଛି ଏବଂ ଜଙ୍ଗଲ ବିଭାଗ ତରଫରୁ ଆଇନ୍ ଅନୁଯାୟୀ ରାଜ୍ୟସରକାରଙ୍କ ଅନୁକମ୍ପାମୂଳକ ସହାୟତାକୁ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଯୋଗେଇଦେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।