୨୩୩ ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ କିରାଣୀଙ୍କ ଦରମା ବନ୍ଦ କଲେ ରାଜ୍ୟ ସରକାର
ବାରମ୍ବାର ସ୍ମାରକପତ୍ର ଦେବା ପରେ ମଧ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଉନଥିବା ବିଭାଗ ପକ୍ଷରୁ ସମସ୍ତ କଲେଜଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।
ସରକାରୀ ନିୟମ ଅବହେଳାକୁ ଭିତି କରି ଦରମା ବନ୍ଦ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଘୋର ଅବହେଳା ଅଭିଯୋଗରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାର ୨୩୩ଟି କଲେଜର ପ୍ରିନ୍ସିପାଲ ଓ ମୁଖ୍ୟ କିରାଣୀଙ୍କ ଦରମା ବନ୍ଦ କରାଯାଇଛି। ବାରମ୍ବାର ସ୍ମାରକପତ୍ର ଦେବା ପରେ ମଧ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଉନଥିବା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଏହାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଜବାବରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନରେ ବିଫଳତା ସହ ସରକାରୀ ଦାୟିତ୍ବ ନିର୍ବାହକରିବାରେ ଘୋର ଅବହେଳାକୁ ଏଥିରେ ଦର୍ଶାଯାଇଛି। ନିର୍ଦ୍ଦେଶ ପାଳନ ନହେବା ପର୍ୟ୍ୟନ୍ତ ଏବଂ ବିଭାଗରୁ ମଞ୍ଜୁରୀ ନମିଳିବା ପର୍ୟ୍ୟନ୍ତ ୨୦୨୩ ମେ ମାସର ଦରମା ପ୍ରଦାନ ନକରିବାକୁ ବିଭାଗ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛି।
ସୂଚନାନୁଯାୟୀ, ଅନୁଗୁଳରୁ ୫ଜଣ, ବାଲେଶ୍ୱରରୁ ୧୨ଜଣ, ବରଗଡ଼ରୁ ୧୬ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨୩ଜଣ, ବୌଦ୍ଧରୁ ଜଣେ, କଟକରୁ ୨୪ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୧୩ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂହପୁରରୁ ୧୨ଜଣ, ଯାଜପୁରରୁ ୧୩ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୫ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରୁ ଜଣେ, ଖୋର୍ଦ୍ଧା ଓ କେନ୍ଦୁଝରରୁ ୫ଜଣ, କୋରାପୁଟରୁ ୫ଜଣ, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୯ଜଣ, ରାୟଗଡ଼ାରୁ ୩ଜଣ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୫ଟି କଲେଜରୁ ୫ଜଣ ଲେଖାଏଁ ରହିଛନ୍ତି।