ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱରରେ ଘଟିଥିବା ୩ଟି ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଆହତ ଓ ଗୁରୁତରଙ୍କୁ ବାଲେଶ୍ଵର ହସପିଟାଲରେ ଭେଟିଛନ୍ତି। ସାଥିରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ

ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା : ମୋଦି

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସହ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଦିଙ୍କ ସହ ସାଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିଲେ। ମୋଦି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ କିଛି ଅଧିକାରୀଙ୍କ ସହ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ମୋଦି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ କିଛି ଆହତ ବ୍ୟକ୍ତି ଏବଂ ଡାକ୍ତରଖାନାର ଡାକ୍ତରଙ୍କୁ ଭେଟିଥିଲେ। ସେମାନଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଆହତଙ୍କୁ ଭେଟିବା ପରେ ମୋଦି ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଏହା ଅତ୍ୟନ୍ତ ବିଚଳିତ ଓ ହୃଦୟ ବିଦାରକ ଘଟଣା। ଏ ସମୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି। ଆହତଙ୍କୁ ସାହାଯ୍ୟ କରିଥିବା ସମସ୍ତ ବ୍ୟକ୍ତି ଓ ସ୍ଥାନୀୟ ବାସିନ୍ଦାଙ୍କୁ ଧନ୍ୟବାଦ। ମୃତକଙ୍କ ପରିଜନ ପ୍ରତି ମୋର ଗଭୀର ସମବେଦନା। ଆହତ ଓ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଘଟଣାରେ ଯିଏ ବି ଦୋଷୀ ଥିବେ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ସବୁ ଦିଗ ପ୍ରତି ଦୃଷ୍ଟିରେ ରଖି ଯାଞ୍ଚ କରୁଛନ୍ତି। ଓଡିଶା ସରକାର ଓ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାର ସହାୟତା କରୁଛନ୍ତି। ଆହତ ଓ ଗୁରୁତରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଭଳି ଘଟଣା ଆମକୁ ଅନେକ ଶିକ୍ଷା ଦେଇଛି। ଏଭଳି ଘଟଣାକୁ ବୟାନ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଏହି ଅଘଟଣ ସମୟରେ ସମସ୍ତେ ମିଳିମିଶି କାମ କରିବା ଉଚିତ।”