ଓଡ଼ିଶାର ୩ଟି ସହରରୁ କୋଲକାତାକୁ ଯାତ୍ରା କଲା ୫୯ଟି ବସ୍
ଦୁର୍ଘଟଣାଗ୍ରସ୍ତ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସର ଯାତ୍ରୀ ଏବଂ ଭୁବନେଶ୍ୱରରେ ଫସି ରହିଥିବା ମୃତକଙ୍କ ସମ୍ପର୍କୀୟମାନେ ଘରକୁ ଫେରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ପାଇଁ ଘୋଷଣା କରିଛନ୍ତି
ପୁରୀ, କଟକ ଓ ଭୁବନେଶ୍ୱରରୁ କୋଲକାତାକୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ନ ହେବା ପର୍ୟ୍ୟନ୍ତ ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ହେବ
ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସର ଯାତ୍ରୀ ଏବଂ ଭୁବନେଶ୍ୱରରେ ଫସି ରହିଥିବା ମୃତକଙ୍କ ସମ୍ପର୍କୀୟମାନେ ଘରକୁ ଫେରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁରୀ, କଟକ ଓ ଭୁବନେଶ୍ୱରରୁ କୋଲକାତାକୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ନ ହେବା ପର୍ୟ୍ୟନ୍ତ ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଯଦିଓ ରେଳବାଇ ଦାବି କରିଛି ଯେ ଏହି ଭୟଙ୍କର ରେଳ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ପୁନରୁଦ୍ଧାର କରାଯାଇଛି ଏବଂ ଖୁବ୍ ଶୀଘ୍ର ଏହି ରୁଟରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ, କିନ୍ତୁ ବାହାର ରାଜ୍ୟର ମୃତକଙ୍କ ସମ୍ପର୍କୀୟମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ରବିବାର ରାତି ସାଢ଼େ ୧୧ଟା ସୁଦ୍ଧା ପୁରୀରୁ ୨୦ଟି, ଭୁବନେଶ୍ୱରରୁ ୨୩ଟି ଓ କଟକରୁ ୧୬ଟି ବସ୍ ମାଗଣାରେ କୋଲକାତା ଅଭିମୁଖେ ବାହାରିଥିଲା। ଏଥିରେ ଓଏସଆରଟିସି ବସ୍ ମଧ୍ୟ ରହିଛି।