ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮: ମୁଖ୍ୟ ଶାସନ ସଚିବ
ବାଲେଶ୍ୱର ଜିଲ୍ଲାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ନୁହେଁ, ୨୮୮ ଜଣ।
ଚିହ୍ନଟ ହେଲା ୨୦୫ ମୃତଦେହ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ନୁହେଁ, ୨୮୮। ମୃତକଙ୍କ ସଂଖ୍ୟା ସଂଶୋଧନ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, “ଶାଲିମାର-ଚେନ୍ନାଇ କୋରୋମଣ୍ଡେଲ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ସୁପର ଫାଷ୍ଟ ଓ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସୁଦ୍ଧା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ଆମେ ନିଶ୍ଚିତ କରିଥିଲୁ। ମୃତଦେହ ଯାଞ୍ଚ ଓ ଜିଲ୍ଲାପାଳଙ୍କଠାରୁ ମିଳିଥିବା ଅପଡେଟ୍ ପରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି।”
ବର୍ତ୍ତମାନ ସୁଦ୍ଧା ୨୦୫ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ୯୬ ଆମ୍ବୁଲାନ୍ସରେ ଭୁବନେଶ୍ୱର ପଠାଯାଇଥିବା ୧୯୩ ମୃତଦେହ ମଧ୍ୟରୁ ୧୧୦ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଭଦ୍ରକରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ୯୪ ମୃତକଙ୍କ ମୃତଦେହ ମଧ୍ୟ ହସ୍ତାନ୍ତର କରାଯାଇଛି। ବାକି ୮୩ ଜଣଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଉଛି। ସରକାର ଜାରି କରିଥିବା ଟୋଲ ଫ୍ରି ନମ୍ବରକୁ ନେଇ ଆମକୁ ଅନେକ ପ୍ରଶ୍ନ ଆସିଛି। ଆସନ୍ତାକାଲି ସୁଦ୍ଧା ଆମେ ଉଲ୍ଲେଖନୀୟ ଅଗ୍ରଗତି ଆଶା କରୁଛୁ ଏବଂ ସମସ୍ତ ମୃତଦେହ ଚିହ୍ନଟ ହେବ ବୋଲି ଆଶା କରୁଛୁ। ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ଚିକିତ୍ସା ଓ ମୃତଦେହ କୁ ସଂପୃକ୍ତ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ଖର୍ଚ୍ଚ ସରକାର ବହନ କରୁଛନ୍ତି” ବୋଲି ଶ୍ରୀ ଜେନା କହିଛନ୍ତି।