ଓଲିଉଡ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ

ଓଲିଉଡର ଦୁଇ ନାୟିକା ଆଇନଗତ ଭାବେ ନହେଲେ ବି କଥୋପକଥନ ଜରିଆରେ ଏହି କାଷ୍ଟିଂକାଉଚ ଅଭିଯୋଗ ଆଣିଛନ୍ତି।

ମାନହାନୀ ମାମଲା ରୁଜୁ କରିବେ ଟୁଟୁ ନାୟକ

ଭୁବନେଶ୍ବର : ଓଲିଉଡ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଅନ୍ୟ ଜଣେ ନାୟିକା ତଥା ଜସ୍ମିନ ରଥ କାଷ୍ଟିଂକାଉଚ ଅଭିଯୋଗ କରିଛନ୍ତି। ଏ ସମ୍ପର୍କିତ କୌଣସି ଆଇନଗତ ଅଭିଯୋଗ ହୋଇନାହିଁ କିନ୍ତୁ ଏକ ହ୍ୱାଟସପ ଚାଟ ଭାଇରାଲ ହୋଇଥିବାର ଦେଖାଦେଇଛି। ଏ ନେଇ ପ୍ରଯୋଜକ ଟୁଟୁ ନାୟକ ଉକ୍ତ ଅଭିନେତ୍ରୀଙ୍କ ସହ ଏହି ଫେକ ନିଉଜକୁ ନେଇ ଖବର ପ୍ରସାରଣ କରିଥିବା ଏକ ମିଡିଆ ହାଉସ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଟୁଟୁ କହିଛନ୍ତି ଯେ,”ଏହି କାଷ୍ଟିଂକାଉଚ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଦୁଇ ଜଣ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଜସ୍ମିନ ରଥ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ମୁଁ ସେମାନଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବି। ବିନା ପ୍ରମାଣରେ ମୋ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ନିର୍ଦ୍ଦିଷ୍ଟ ମିଡିଆ ହାଉସ୍ ବିରୋଧରେ ମଧ୍ୟ ମୁଁ ମାନହାନି ମାମଲା ରୁଜୁ କରିବି।” ପ୍ରକୃତି ମିଶ୍ରଙ୍କୁ ଟାର୍ଗେଟ କରି ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ “ସେ ମୋତେ ବଦନାମ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ୍ ଗ୍ରୁପରେ ଷଡ଼ଯନ୍ତ୍ର କରିଛନ୍ତି। କଟକ ଓ ଭୁବନେଶ୍ବରର ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ମୁଁ ସନ୍ଧ୍ୟାରେ ପ୍ରମାଣ ଦେବି ଏବଂ ପୂରା ଓଡିଆ ଇଣ୍ଡଷ୍ଟ୍ରି ମୋ ସହ ଅଛି।”
ସୂଚନାଯୋଗ୍ୟ, ଗତକାଲି ଟୁଟୁଙ୍କ ବିରୋଧରେ ଏକ ହ୍ୱାଟସପ ଗ୍ରୁପର ଚାଟ ସ୍କ୍ରିନସଟ ଭାଇରାଲ ହୋଇଥିଲା। ଯେଉଁଥିରେ ଟୁଟୁଙ୍କ ବିରୋଧରେ କାଷ୍ଟିଂକାଉଚ ଅଭିଯୋଗ ହୋଇଥିଲା। ଏକ କଥୋପକଥନରେ ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ଏଭଳି ପ୍ରକାଶ କରିଥିବାର ଦେଖା ଯାଇଥିଲା। ଯାହାକୁ ଟୁଟୁ ନାୟକ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି।