ସମୁଦ୍ରରେ ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ ଓ ଆଉ ଜଣେ ନିଖୋଜ

ରବିବାର ସକାଳେ ବାଲେଶ୍ୱର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଏବେ ବି ନିଖୋଜ ଅଟନ୍ତି।

୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର

ବାଲେଶ୍ୱର : ରବିବାର ସକାଳେ ବାଲେଶ୍ୱର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ବାଲେଶ୍ୱରର କଶାଫଲା ସମୁଦ୍ର ମୁହାଣ ଅଞ୍ଚଳରୁ ଏକ ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ବାହାରିଥିଲେ। କୂଳକୁ ଫେରିବା ସମୟରେ ପ୍ରବଳ ପବନ ଓ ଜୁଆରର ପ୍ରବଳ ସ୍ରୋତ ପ୍ରଭାବରେ ଡଙ୍ଗାଟି ସମୁଦ୍ରରେ ବୁଡ଼ି ଯାଇଥିଲା। ଡଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଅନ୍ୟ ୫ ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା। ପରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଉଦ୍ଧାର ହୋଇଥିବା ଜଣେ ମତ୍ସ୍ୟଜୀବୀ କହିଛନ୍ତି, ଆମେ ଗତକାଲି ରାତି ୨ଟାରେ କୂଳରୁ ବାହାରିଥିଲୁ। ଦୁଇ ମାସର ନିଷେଧାଦେଶ ପରେ ମାଛ ଧରିବାକୁ ଅନୁମତି ମିଳିଥିବାରୁ ଆମେ ଯାଇଥିଲୁ। ଫେରିବା ସମୟରେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗାଟି ଓଲଟି ପଡ଼ିଥିଲା। ବୁଡ଼ି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଛାଡ଼ି ଆମେ ସମସ୍ତେ ଡଙ୍ଗାରୁ ଡେଇଁ ପଡ଼ିଲୁ। ଆମ ପଛକୁ ଆସୁଥିବା ଏକ ଡଙ୍ଗା ଆମକୁ ଉଦ୍ଧାର କରିଥିଲା।