ରଥଯାତ୍ରା ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ: ମନ୍ କି ବାତରେ ମୋଦି
ରଥଯାତ୍ରା ଶ୍ରେଷ୍ଠ ଭାରତର ପ୍ରତୀକ ବୋଲି ୧୦୨ତମ ମନ୍ କି ବାତରେ ମୋଦି କହିଛନ୍ତି
ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୋଦି
ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ଅଦ୍ଭୁତ । ସମଗ୍ର ବିଶ୍ୱରେ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି । ରଥଯାତ୍ରା ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ଦେଶର ବିଭିନ୍ନ ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମ୍ଧାମରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଓଡିଶାର ପୁରୀରେ ଅନୁଷ୍ଠିତ ରଥଯାତ୍ରା ଏକ ଆଶ୍ଚର୍ଯ୍ୟଜନକ ବୋଲି ୧୦୨ତମ ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରି ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ ହେବା ଅନୁକରଣୀୟ । ଏହା ଏକ ଶ୍ରେଷ୍ଠ ଭାରତର ପ୍ରତିବିମ୍ବ ଅଟେ । ଗୁଜୁରାଟରେ ମୋତେ ରଥଯାତ୍ରାରେ ସାମିଲ ହେବାର ଭାଗ୍ୟ ମିଳିଥିଲା । ମୁଁ ପ୍ରାର୍ଥନା କରୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ଦେଶବାସୀଙ୍କୁ ଉତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ।
ମୋଦି ବାତ୍ୟା ବିପର୍ଯ୍ୟୟ ବିଷୟରେ କହିଛନ୍ତି, ବାତ୍ୟା ବିପର୍ଯ୍ୟୟ କଚ୍ଛରେ ବହୁତ କିଛି ନଷ୍ଟ କରିଛି । କିନ୍ତୁ କଚ୍ଛବାସୀ ଯେଉଁ ସାହସ ବାନ୍ଧି ବାତ୍ୟାର ମୁକାବିଲା କରିଛନ୍ତି ତାହା ଅଦ୍ଭୁତପୂର୍ବ । ଭାରତ ବିଗତ କିଛି ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟର ଯେଉଁଭଳି ଭାବରେ ସାମନା କରିଛି ତାହା ନିହାତି ଭାବରେ ଆଜି ଉଦାହରଣ ସୃଷ୍ଟି କରିଛି । ମୋର ବିଶ୍ୱାସ ଯେ, କଚ୍ଛବାସୀମାନେ ବାତ୍ୟା ବିପର୍ଯ୍ୟୟ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଶୀଘ୍ର ପୁନରୁଦ୍ଧାର କରିବେ ।
ସେହିପରି ମୋଦି ଭାରତର ଯକ୍ଷ୍ମା ମୁକ୍ତ ମିଶନ ସମ୍ପର୍କିତ ବିଷୟରେ କହିଛନ୍ତି ଯେ, ୨୦୨୫ ସୁଦ୍ଧା ଭାରତ ଯକ୍ଷ୍ମା ନିରାକରଣ ପାଇଁ ସଂକଳ୍ପ ନେଇଛି । ଏକ ସ୍ୱାଧୀନ ଭାରତ ଗଠନ ପାଇଁ ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ବିଶାଳ । ଏକ ସମୟ ଥିଲା ଯେତେବେଳେ ଯକ୍ଷ୍ମା ଏକ ସାଧାରଣ ରୋଗ ଥିଲା । ପୂର୍ବରୁ ଏହି ରୋଗ ନିର୍ଣ୍ଣୟ ହେବା ପରେ ପରିବାର ଲୋକେ ଦୂରେଇ ଯାଉଥିଲେ । କିନ୍ତୁ ଏହି ରୋଗ ଏବେ ଅତି ସହଜରେ ନିର୍ଣ୍ଣୟ କରିହେଉଛି । ରୋଗୀଙ୍କୁ ପରିବାର ସଦସ୍ୟ ପରି ସାହାଯ୍ୟ କରାଯାଉଛି । ତେଣୁ ଆମକୁ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଆଗେଇବାକୁ ପଡିବ ।
ସୂଚନାଯୋଗ୍ୟ ଯେ, ପ୍ରତି ମାସର ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଚଳିତ ମନ୍ କୀ ବାତରେ ୧୦୨ ଏପିସୋଡରେ ମୋଦି ତାଙ୍କ ମନ୍ତବ୍ୟ ରଖିଛନ୍ତି ।