ଭିଜିଲାନ୍ସ ସ୍କାନରରେ ନବରଙ୍ଗପୁର ଉପଜିଲ୍ଲାପାଳ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଓଡ଼ିଶା ଭିଜିଲାନ୍ସ ସ୍କାନରରେ ଅଛନ୍ତି

ନଗଦ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ନବରଙ୍ଗପୁର: ଟିକସ ଫାଙ୍କି ସରକାରୀ ଅଧିକାରୀମାନେ ଭିଜିଲାନ୍ସ ସ୍କାନରରୁ ବର୍ତ୍ତି ପାରୁ ନାହାନ୍ତି। ଜଣଙ୍କ ପରେ ଜଣେ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ସରକାରୀ ଅଧିକାରୀ। ଆଜି ଆଉ ଜଣେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଓଡ଼ିଶା ଭିଜିଲାନ୍ସ ସ୍କାନରରେ ଅଛନ୍ତି।
ଭୁବନେଶ୍ବରର କାନନବିହାରରେ ଥିବା ଏକ ଦୁଇ ମହଲା କୋଠା ସମେତ ଭଦ୍ରକରେ ଥିବା ପୈତୃକ ଘର, ନବରଙ୍ଗପୁରରେ ଥିବା ଆବାସିକ ଘର ଓ କାର୍ଯ୍ୟାଳୟ ସହ ଅନ୍ୟ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ୬ଟି ସ୍ଥାନରୁ ୨ କୋଟିରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଜବତ କରାଯିବା ସହ ଏଟିଏମ୍ କାର୍ଡ, ବ୍ୟାଙ୍କ ପାସବୁକ ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୯ଟି ଟିମ୍ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ କରୁଛନ୍ତି।
ସୂଚନାନୁଯାୟୀ, ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲାର ବିସରା ବ୍ଲକ ଉନ୍ନୟନ ଅଧିକାରୀ ଥିବା ବେଳେ ଶ୍ରୀ ରାଉତ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଗିରଫ ହୋଇଥିଲେ।