ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ଖାରଜ କଲେ ହାଇକୋର୍ଟ

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗକୁ ଖାରଜ କରିଛନ୍ତି ହାଇକୋର୍ଟ।

ମନୀଷଙ୍କ ପିଏଙ୍କ ମୃତ୍ୟୁ ଘଟଣାରେ ଦାୟର ହୋଇଥିଲା ମାମଲା

ମାଲକାନଗିରି: ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗକୁ ଖାରଜ କରିଛନ୍ତି ହାଇକୋର୍ଟ।
କେସ୍ ଡାଏରୀ ଅନୁଯାୟୀ, ଅଗ୍ରୱାଲଙ୍କ ପିଏ ୨୦୧୯ ଡିସେମ୍ବର ୨୭ ତାରିଖରେ ତାଙ୍କ ଅଫିସରୁ ନିଖୋଜ ହୋଇଯାଇଥିଲେ। ପରଦିନ ମାଲକାନଗିରି ସତୀଗୁଡା ଡ୍ୟାମରୁ ଶ୍ରୀ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ପୁଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲେ ହେଁ ପରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଅନ୍ୟପକ୍ଷରେ ଦୁର୍ନୀତିରେ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ଶ୍ରୀ ପଣ୍ଡା ଅବଗତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପ୍ରାୟ ବର୍ଷେ ପରେ ୨୦୨୦ ନଭେମ୍ବର ୩୦ ତାରିଖରେ ସେ ମାଲକାନଗିରି ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସ୍ଡିଜେଏମ୍)ଙ୍କ କୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲେ। ତେବେ ମୃତ ଶ୍ରୀ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ମନୀଷ ଅଗ୍ରୱାଲଙ୍କର ସମ୍ପୃକ୍ତି ନଥିବା ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।