୧୬ଟି ରାଜ୍ୟକୁ ୫୬,୪୧୫ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଚଳିତ ଆର୍ଥିକ ବର୍ଷ ୨୦୨୩-୨୦୨୪ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୧୬ଟି ରାଜ୍ୟ ପାଇଁ ମୋଟ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି।

ଓଡି଼ଶାକୁ ୪,୫୨୮ କୋଟି ଟଙ୍କାର ଅନୁଦାନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୩-୨୦୨୪ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୧୬ଟି ରାଜ୍ୟ ପାଇଁ ମୋଟ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। “ପୁଞ୍ଜି ନିବେଶ ୨୦୨୩-୨୪ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା” ନାମକ ଏହି ଯୋଜନାକୁ ଅନୁମୋଦନ ମିଳିଛି। ବିହାରକୁ ୯,୬୪୦ କୋଟି, ମଧ୍ୟପ୍ରଦେଶକୁ ୭,୮୫୦ କୋଟି, ପଶ୍ଚିମବଙ୍ଗକୁ ୭,୫୨୩ କୋଟି, ରାଜସ୍ଥାନକୁ ୬,୦୨୬ କୋଟି, ଓଡ଼ିଶାକୁ ୪,୫୨୮ କୋଟି, ତାମିଲନାଡୁକୁ ୪୦୭୯ କୋଟି, କର୍ଣ୍ଣାଟକକୁ ୩,୬୪୭ କୋଟି, ଗୁଜୁରାଟକୁ ୩,୪୭୮ କୋଟି, ଛତିଶଗଡ଼କୁ ୩,୧୯୫ କୋଟି, ତେଲେଙ୍ଗାନାକୁ ୨,୧୦୨ କୋଟି, ଅରୁଣାଚଳ ପ୍ରଦେଶକୁ ୧୨୫୫ କୋଟି, ହରିୟାଣାକୁ ୧,୦୯୩ କୋଟି, ହିମାଚଳ ପ୍ରଦେଶକୁ ୮୨୬ କୋଟି, ମିଜୋରାମକୁ ୩୯୯ କୋଟି, ସିକ୍କିମକୁ ୩୮୮ କୋଟି, ଗୋଆକୁ ୩୮୬ କୋଟି ଟଙ୍କାର ଅନୁଦାନ ମିଳିଛି।

ବିଦ୍ୟୁତ, ସଡକ, ସେତୁ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ରେଳବାଇ ସମେତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ସବୁ କ୍ଷେତ୍ରରେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ରାଜ୍ୟ ଭାଗ ପୂରଣ ପାଇଁ ଏହି ଯୋଜନା ଅଧୀନରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଇଛି।

ଏହି ଯୋଜନାରେ ୮ଟି ଭାଗ ମଧ୍ୟରୁ ପ୍ରଥମ ଭାଗରେ ୧ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରୀୟ ଟିକସ ଓ ଶୁଳ୍କ ଅନୁପାତରେ ଏହି ରାଶିକୁ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।
ଏହି ଯୋଜନାର ଦ୍ବିତୀୟ ଭାଗରେ ରାଜ୍ୟ ସରକାରଙ୍କ ଗାଡ଼ି ଓ ଆମ୍ବୁଲାନ୍ସକୁ ସ୍କ୍ରାପ୍ କରିବା ପାଇଁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ, ପୁରୁଣା ଯାନ ଉପରେ ଦାୟିତ୍ବ ଛାଡ଼, ପୁରୁଣା ଯାନଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ଛାଡ଼ ଏବଂ ସ୍ୱୟଂଚାଳିତ ଯାନ ପରୀକ୍ଷା ସୁବିଧା ପ୍ରତିଷ୍ଠା ପାଇଁ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଏହି ଯୋଜନାର ତୃତୀୟ ଓ ଚତୁର୍ଥ ଭାଗର ଉଦ୍ଦେଶ୍ୟ ହେଉଛି ରାଜ୍ୟମାନଙ୍କୁ ସହରାଞ୍ଚଳ ଅର୍ଥ ଏବଂ ଯୋଜନାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୋତ୍ସାହିତ କରିବା। ସହରାଞ୍ଚଳ ଯୋଜନା ସଂସ୍କାର ପାଇଁ ଆବଣ୍ଟିତ ୧୫,୦୦୦ କୋଟି ଟଙ୍କା ବ୍ୟତୀତ ଅତିରିକ୍ତ ୫,୦୦୦ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ଋଣଯୋଗ୍ୟ କରିବା। ଏହାବ୍ୟତୀତ ସହରାଞ୍ଚଳ ଥାନାରେ ପୁଲିସ ଅଧିକାରୀ ଓ ସେମାନଙ୍କ ପରିବାରପାଇଁ ଆବାସ ଭଣ୍ଡାରରେ ଉନ୍ନତି ଆଣିବା ଏହି ଯୋଜନାର ଲକ୍ଷ୍ୟ।
ଏହି ଯୋଜନାର ପଞ୍ଚମ ଭାଗରେ ଅଧୀନରେ ଏଥିପାଇଁ ୨୦୦୦ କୋଟି ଟଙ୍କାର ଆର୍ଥିକ ରାଶି ସଂରକ୍ଷିତ ରଖାଯାଇଛି। ଏହି ଯୋଜନାର ଲକ୍ଷ୍ୟ ଗୋଟିଏ ଜିଲ୍ଲା ଓ ଗୋଟିଏ ଉତ୍ପାଦ। ଯୋଜନାର ଷଷ୍ଠ ଭାଗରେ ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପଞ୍ଚାୟତ ଓ ୱାର୍ଡ ସ୍ତରରେ ଶିଶୁ ଓ କିଶୋରଙ୍କ ପାଠପଢ଼ା ପାଇଁ ଡିଜିଟାଲ ଭିତ୍ତିଭୂମି ସହ ପାଠାଗାର ନିର୍ମାଣରେ ସହାୟତା କରିବ।