ଆପାର୍ଟମେଂଟ ମାଲିକାନା ଅଧ୍ୟାଦେଶ ଜାରି କଲେ ଓଡିଶା ସରକାର

ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ଜାରି କରିଛନ୍ତି ରାଜ୍ୟ ସରକାର

ଅଧ୍ୟାଦେଶ ନେଇ ଆଇନ ବିଭାଗର ଗେଜେଟ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ବିଧାନସଭାରୁ ଓଡିଶା ଆପାର୍ଟମେଂଟ (ମାଲିକାନା ଓ ପରିଚାଳନା) ବିଲ୍, ୨୦୨୩ ପ୍ରତ୍ୟାହାର କରିବାର କିଛି ମାସ ପରେ ରାଜ୍ୟ ଆଇନ ବିଭାଗ ଅଧ୍ୟାଦେଶ ଆକାରରେ ଏକ ବିଜ୍ଞପ୍ତି ଜାରି କରିଛି । ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ଫ୍ରି ଏବଂ ଲିଡ୍ ହୋଲ୍ଡ ଜମିରେ ନିର୍ମିତ ସବୁ ନୂଆ ଓ ପୁରୁଣା ଆପାର୍ଟମେଂଟ ପାଇଁ ଅଧ୍ୟାଦେଶ ଲାଗୁ ହେବ । ପ୍ରକଳ୍ପର ୫୦% କିମ୍ବା ୭ଟି ଆପାର୍ଟମେଂଟ ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହେବ । ଗୋଟିଏ ପ୍ରକଳ୍ପ ପାଇଁ କେବଳ ଗୋଟିଏ ଆସୋସିଏସନ୍ ଗଠନ ହେବ । ସମସ୍ତ ଆପାର୍ଟମେଂଟ କ୍ରେତା ଆସୋସିଏସନ ସଦସ୍ୟ ହେବା ବାଧ୍ୟତାମୂଳକ ଏବଂ ଏକାଧିକ ଆପାର୍ଟମେଂଟ ଥିଲେ ଆସୋସିଏସନ ପାଇଁ ଭୋଟିଂ କ୍ଷମତା ଗୋଟିଏ ହେବ । ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ ଏକ ସାଧାରଣ ଅଂଚଳ ଭାବେ ବିବେଚନା କରାଯାଇ ସଂଘ ନାମରେ ପଞ୍ଜୀକୃତ କରାଯିବ ।
ତେବେ ଏହି ଅଧ୍ୟାଦେଶର ବ୍ୟବସ୍ଥା କୌଣସି ସରକାରୀ ବିଭାଗ କିମ୍ବା ସଂସ୍ଥାର କାର୍ଯ୍ୟାଳୟ ଭାବରେ ବ୍ୟବହୃତ କୋଠା କିମ୍ବା ମାଲିକଙ୍କ ଦ୍ୱାରା ବ୍ୟବହାର ହେଉଥିବା ମାଲିକାନା ଅନ୍ୟମାନଙ୍କୁ ଦେବା ପାଇଁ ଲାଗୁ ହେବ ନାହିଁ । ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ର ନିୟମ ଅନୁଯାୟୀ, ଏଭଳି ଅଧ୍ୟାଦେଶ ଆଣିବା ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି କୁହାଯାଉଛି ।