ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ: ଜୁଲାଇ ୨୦ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜରାସ୍ତାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁଆଡେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳୁଛି। ପେଟ୍ରୋଲ, ବିଦ୍ୟୁତ୍ ଏବଂ ଖାଦ୍ୟ ଭଳି ମୌଳିକ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି। ଏନେଇ ଏବେ ଦେଶରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ନୂତନ ରାଷ୍ଟ୍ରପତି ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ଯ୍ୟନ୍ତ କରାଯାଇପାରିବ। ଏହା ପରେ ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ। ଜୁଲାଇ ୧୩ରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବା ପାଇଁ ଘୋଷଣା କରିବା ପରେ ଆଜି ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନେ।