ଚଳିତବର୍ଷ ହେବ କଟକର ଐତିହାସିକ ବାଲିଯାତ୍ରା: ଜିଲ୍ଲାପାଳଙ୍କ ସୂଚନା

କଟକ: କଟକରେ ଏଥର ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା। କୋଭିଡ-୧୯ କାରଣରୁ ଗତ ଦୁଇବର୍ଷ ଧରି କଟକର ବାଲିଯାତ୍ରା ବନ୍ଦ ହୋଇରହିଥିଲା । ମାତ୍ର ଚଳିତ ବର୍ଷ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ପୁଣି ଥରେ ରାଜ୍ୟବାସୀ ବାଲିଯାତ୍ରାର ଆନନ୍ଦ ଉଠାଇ ପାରିବେ । ଏନେଇ କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ପୂର୍ବପରି ଚଳିତବର୍ଷ ମଧ୍ୟ ବାଲିଯାତ୍ରାର ମଜା ନେବେ ଲୋକେ। କରୋନା ପରେ ପ୍ରଥମ ଥର ପାଇଁ କଟକରେ ହେବ ପ୍ରସିଦ୍ଧ ବାଲିଯାତ୍ରା। ଜିଲ୍ଲାପାଳ ଚୟନୀ କହିଛନ୍ତି, ‘ବାରବାଟୀ ରାଜପ୍ରସାଦରେ ପ୍ରଥମ ଥର ପାଇଁ ୧୪-୧୬ ତାରିଖ ତିନିଦିନ ଧରି କାଇଟ୍ ଉତ୍ସବ ଅନୁଷ୍ଠିତ ହେବ । ଓରମାସ, ମିଶନଶକ୍ତି, ଜିଲ୍ଲା ସଂସ୍କୃତି କାଉନସିଲ ପକ୍ଷରୁ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ କଟକର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାଙ୍କ ଦ୍ୱାରା ବାଲିଯାତ୍ରା ଆୟୋଜିତ ହେବ ।’

ବାଲିଯାତ୍ରାରେ ଚଳିତ ବର୍ଷ ଏସଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗତ ଦୁଇବର୍ଷ ଧରି କୋଭିଡ କାରଣରୁ ଜନସାଧାରଣ ବାଲିଯାତ୍ରାକୁ ଉପଭୋଗ କରିପାରି ନଥିଲେ । ମାତ୍ର ଚଳିତ ବର୍ଷ ସଂକ୍ରମଣ କମିଥିବାରୁ ଅନ୍ୟ ସମସ୍ତ ପର୍ବପର୍ବାଣି ପରି ରାଜ୍ୟବାସୀ ବାଲିଯାତ୍ରାର ମଜା ଉଠାଇ ପାରିବେ ।