ଓପିଏସସିର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଓପିଏସସିର ୭୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓପିଏସସିର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୭୫ ବର୍ଷ ଧରି ସ୍ବଚ୍ଛତାର ସହ ସେବା କରିଆସୁଛି ଓପିଏସସି: ମୁଖ୍ୟମନ୍ତ୍ରୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୭୫ ବର୍ଷ ମଧ୍ୟରେ ରାଜ୍ୟ ପାଇଁ ଉଲ୍ଲେଖନୀୟ ସେବା କରିଥିବାରୁ ମୁଖ୍ୟମନ୍ତ୍ରୀ ଓପିଏସସିକୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ଓଡ଼ିଶା ଲୋକସେବା ଆୟୋଗର ୭୫ତମ ବାର୍ଷିକୀ ଅବସରରେ ଅଧ୍ୟକ୍ଷ, ସମସ୍ତ ସଦସ୍ୟଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଓପିଏସସି ଭାରତୀୟ ସମ୍ବିଧାନର ଏକ ସୃଷ୍ଟି ଏବଂ ରାଜ୍ୟର ସେବାରେ ନିଯୁକ୍ତି ପରିଚାଳନା କରିବା ବାଧ୍ୟତାମୂଳକ କାର୍ଯ୍ୟ ଅଟେ।

ଓପିଏସସି ଅନୁଷ୍ଠାନକୁ ଆହୁରି ସଶକ୍ତ କରିବାକୁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ କହିଛନ୍ତି, ନିଯୁକ୍ତିରେ ବାଧା ଦୂର କରିବା ଏବଂ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡରକୁ ପାଳନ କରିବାରେ ଆୟୋଗ ଓ ଏହାର ପୂର୍ବତନ ଓ ବର୍ତ୍ତମାନର କର୍ମଚାରୀଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି। ବିଗତ କିଛି ବର୍ଷ ମଧ୍ୟରେ ଆୟୋଗ ଦ୍ରୁତ ଗତିରେ ବିପୁଳ ସଂଖ୍ୟକ ନିଯୁକ୍ତି ଅଭିଯାନ ଚଳାଇବାରେ ସକ୍ଷମ ହୋଇଛ ଓପିଏସସି। ମୋ ସରକାର ଏହି ଅନୁଷ୍ଠାନକୁ ଆହୁରି ସୁଦୃଢ଼ କରିବାକୁ ସବୁବେଳେ ଆଗ୍ରହୀ। ଭିତ୍ତିଭୂମିର ଆବଶ୍ୟକତାକୁ ପୂରଣ କରିବା ପାଇଁ ୧୪ କୋଟି ଟଙ୍କା ବ୍ୟୟରେ ଆୟୋଗର ଏକ ନୂତନ ଆନେକ୍ସ ବିଲ୍ଡିଂ ନିର୍ମାଣ ଚାଲିଛି। ଏହାବ୍ୟତୀତ ଓପିଏସସିର କ୍ୟାଡର ପୁନର୍ଗଠନ ଉପରେ ସରକାରଙ୍କ ସକ୍ରିୟ ବିଚାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।