ଲୋକକଳାକାରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟରେ ଲୋକକଳାକାରଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି

ଦାଶକାଠିଆ, ପାଲା, ଘୋଡ଼ା ନୃତ୍ୟ ଏବଂ ଲୋକନୃତ୍ୟ ଓ ଲୋକସଙ୍ଗୀତ ଅନ୍ତର୍ଭୁକ୍ତ

ଭୁବନେଶ୍ବର: ରାଜ୍ୟରେ ଲୋକକଳାକାରଙ୍କ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଦାଶକାଠିଆ, ପାଲା, ଘୋଡ଼ା ନୃତ୍ୟ ଏବଂ ଲୋକନୃତ୍ୟ ଓ ଲୋକସଙ୍ଗୀତ ଭଳି ବିଭିନ୍ନ କଳାକାର ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କଳାକାରମାନଙ୍କ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ପ୍ରତ୍ୟେକ ଲୋକକଳାକାରଙ୍କୁ ଗୋଟିଏ ଦିନରେ ୩ ଘଣ୍ଟାର ୩ଟି ନୃତ୍ୟ ପରିବେଷଣ ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି। ମୁଖ୍ୟ ପରିବେଷଣକାରୀଙ୍କୁ ଦୈନିକ ୧୦୦୦ ଟଙ୍କା ଏବଂ ଅନ୍ୟ ସଦସ୍ୟମାନଙ୍କୁ ଦୈନିକ ୮୦୦ ଟଙ୍କା ଦିଆଯିବ। ଏହି ନୂଆ ପାରିଶ୍ରମିକ ଅନୁଯାୟୀ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବ କାର୍ଯ୍ୟକ୍ରମକୁ ୨୦୦୦ ଟଙ୍କା ଦିଆଯାଉଥିବା ବେଳେ ଏବେ ଦୁଇ ଜଣିଆ ଦଳକୁ ଗୋଟିଏ ଥରରେ ୨୪୦୦ ଟଙ୍କା ଦିଆଯିବ। ପାଲା ଗାୟକମାନଙ୍କୁ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ୩୫୦ ଟଙ୍କା ଦିଆଯାଉଥିବା ବେଳେ ଏବେ ୬ ଜଣିଆ ଦଳକୁ ଗୋଟିଏ ଥରରେ ୬୮୦୦ ଟଙ୍କା ଦିଆଯିବ। ସେହିପରି ଲୋକନୃତ୍ୟ ଓ ଲୋକସଙ୍ଗୀତ ପାଇଁ ପୂର୍ବରୁ ୪୦୦ ଟଙ୍କା ଦିଆଯାଉଥିବା ବେଳେ ଏବେ ୮ ଜଣିଆ ଟିମକୁ ଗୋଟିଏ ଥରରେ ୯ ହଜାର ଟଙ୍କା ଦିଆଯିବ। ଏହାବ୍ୟତୀତ ପ୍ରତ୍ୟେକ କଳାକାରମାନଙ୍କୁ ପରିବହନ ଓ ଖାଦ୍ୟ ପାଇଁ ଦୈନିକ ବ୍ୟକ୍ତି ପିଛା ୩୦୦ ଟଙ୍କା ପ୍ରଦାନ କରାଯିବ।

ରାଜ୍ୟରେ ଲୋକକଳାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି। ୨୦୦୯ ମସିହାରୁ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରରେ କଳାକାର ସଂଘ ଗଠନ ହୋଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ଲୋକକଳା କାର୍ଯ୍ୟକ୍ରମ ଆୟୋଜନ ଓ ପ୍ରୋତ୍ସାହିତ କରାଯାଉଛି।