ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ୩୦ ମୃତ, ୫୦୦ରୁ ଅଧିକ ପ୍ରଭାବିତ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଥିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ପ୍ରଭାବିତ

୩ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ଆକଳନ

ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଥିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ରାଜଧାନୀ ଶିମଲାରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୩୦ ମୃତକଙ୍କ ମଧ୍ୟରୁ ୨୯ ଜଣଙ୍କ ପରିଚୟ ମିଳିଛି ବୋଲି ପୁଲିସ କହିଛି।

ବର୍ଷା ଜନିତ ଭୂସ୍ଖଳନ ଯୋଗୁଁ ଚନ୍ଦରତାଲ, ପାଗଲ ନାଳ ଓ ଲାହୋଲ ଓ ସ୍ପିତିର ଅନ୍ୟାନ୍ୟ ସ୍ଥାନରେ ୫୦୦ରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ଉନା ଜିଲ୍ଲାର ଏକ ଜଳବନ୍ଦୀ ବସ୍ତିରେ ଫସି ରହିଥିବା ୫୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖ କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ବିଜୁଳି ଓ ଜଳ ଯୋଗାଣ ପୁନରୁଦ୍ଧାର ପାଇଁ ଆମେ ପ୍ରୟାସ କରୁଛୁ। ରାଜ୍ୟରେ ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ପ୍ରତ୍ୟେକ ମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୋମବାର ନାଦୌନରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସଡିଏମଏ)ର ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ୫୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ଜନିତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ଜନିତ ଜୀବନହାନି ଏତେ ଅଧିକ ନୁହେଁ। ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ, ଜିଲ୍ଲା ଓ ଲିଙ୍କ୍ ରୋଡ୍ ସମେତ ୧୩୦୦ରୁ ଅଧିକ ରାସ୍ତା ପ୍ରଭାବିତ ହୋଇଛି। ଆସନ୍ତା ଦୁଇ ଦିନ ପାଇଁ ହାଇ ଆଲର୍ଟରେ ରହିବୁ ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଜଗତ ସିଂହ ନେଗି କହିଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବ୍ୟାପକ ବନ୍ୟା ଓ ସମ୍ପତ୍ତି କ୍ଷୟକ୍ଷତି ନେଇ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ପଞ୍ଜାବ ଏବଂ ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଉତ୍ତରାଖଣ୍ଡରେ ବଦ୍ରିନାଥ ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ରାସ୍ତା ବର୍ଷା ଜନିତ ଭୂସ୍ଖଳନ ଯୋଗୁଁ ଅବରୋଧ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବନ୍ୟା ପରିସ୍ଥିତି ର ସମୀକ୍ଷା କରିବା ସହ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।