ଅଟକିଲା ବାଲ୍ୟ ବିବାହ, ବର ଗିରଫ

କଟକର ଆଠଗଡ ଅଂଚଳର ଗୁରୁଡିଝାଟିଆ ଗାଁର ଜଣେ ନାବାଳିକା (୧୬) ସହିତ ମଧ୍ୟପ୍ରଦେଶର ଜଣେ ଚିତ୍ରଶିଳ୍ପୀ ତୁଳସୀ ରାମ୍ (୨୪) ସହିତ ବାହାଘର ଅଟକେଇଛି ଚାଇଲ୍ଡ ଲାଇନ ବିଭାଗ ।

ବିବାହ ପରେ ନାବାଳିକା ମଧ୍ୟପ୍ରଦେଶ ଚାଲାଣ ହୋଇଥାନ୍ତେ

କଟକ: ହୋଇଥାନ୍ତା ବାହାଘର । ବାହାଘର ପାଇଁ ବେଦୀ ସଜ୍ଜା ସରିଥିଲା । ସମସ୍ତେ ଥିଲେ ଉତ୍ସବମୁଖର । କିନ୍ତୁ ବାହାଘର ହେବା ପୂର୍ବରୁ ହିଁ ବାଲ୍ୟ ବିବାହ ଉଦ୍ୟମ ଭଣ୍ଡୁର କରିଦେଲା ପୋଲିସ୍ । କଟକର ଆଠଗଡ ଅଂଚଳର ଗୁରୁଡିଝାଟିଆ ଗାଁର ଜଣେ ନାବାଳିକା (୧୬) ସହିତ ମଧ୍ୟପ୍ରଦେଶର ଜଣେ ଚିତ୍ରଶିଳ୍ପୀ ତୁଳସୀ ରାମ୍ (୨୪) ସହିତ ବାହାଘର ସ୍ଥିର ହୋଇଥିଲା । ଏ ନେଇ କଟକ ଗଡଗଡିଆ ମନ୍ଦିର ପରିସରରେ ଏକ ବିବାହ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ କୌଣସି ସୂତ୍ରରୁ ଚାଇଲ୍ଡ ଲାଇନ ବିଭାଗ ଖବର ପାଇ କ୍ୟାଂଟନମେଂଟ ଥାନା ପୋଲିସ ସହ ବାଲ୍ୟ ବିବାହ ନିରୋଧ ଅଧିକାରୀ ଘଟଣାସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି । କ୍ୟାଂଟନମେଂଟ ଥାନା ପରିସରରେ ଏହି ଘଟଣା ଘଟିଥିବାରୁ ଏକ ମାମଲା ରୁଜୁ ହେବା ସହ ସମ୍ପୃକ୍ତ ବର ଓ ଦୁଇ ସମ୍ପର୍କୀୟଙ୍କୁ ଗିରଫ କରିଛି । ଶିଶୁ କଲ୍ୟାଣ କମିଟି ଉକ୍ତ ନାବାଳିକାଙ୍କ ବୟାନ ରେକର୍ଡ କରିବାରୁ ସେ କହିଛନ୍ତି ଯେ, ଏହି ବାହାଘର ତାଙ୍କ ଅନିଚ୍ଛା ସତ୍ୱେ ସ୍ଥିର ହୋଇଥିଲା ।
ସୂଚନାଯୋଗ୍ୟ ଚାଇଲ୍ଡଲାଇନ ବିଭାଗ କହିଛି ଯେ, ବିଦ୍ୟାଧରପୁରର ଏକ ଦମ୍ପତି ଟଙ୍କା ଲୋଭରେ ରାଜ୍ୟର ଅନେକ ନାବାଳିକାଙ୍କୁ ବିବାହ କରାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଓ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ତେଣୁ ଏହି ଘଟଣାରେ ମଧ୍ୟ ଉକ୍ତ ଦମ୍ପତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହେଉଛି । ଏ ନେଇ ତଦନ୍ତ ଚାଲିଛି ।