ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦେବସ୍ନାନ ନୀତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ।

ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୫୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି । ଆଇନ୍ ଶୃଙ୍ଖଳା ଏଡିଜି ଆର୍‌.କେ.ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସ୍‌ପି କେ.ବିଶାଲ ସିଂଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏକ ସମୀକ୍ଷା ବୈଠକରେ ମିଳିତ ହୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମନ୍ଦିର ବାହାରେ ଜନସମାଗମକୁ ଦୃଷ୍ଟିରେ ରଖି ବାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଫୋର୍ସ ସହ ୩ ଜଣ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌-ଇନ୍ସପେକ୍ଟର, ୧୦୦୦ କନେଷ୍ଟବଳ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ ରୁ ଊର୍ଦ୍ଧ୍ୱ ସିସିଟିଭି ନଜରରେ ରହିଛି । ପହଣ୍ଡି ସମୟରେ ପରମାଣିକ ଟିକେଟ୍ ଧାରୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ।