ନୂଆଦିଲ୍ଲୀରେ ଓଡିଆ ପୁଅଙ୍କ ଦବଦବା! ପ୍ରଥମ ଓଡିଆ ଭାବେ ପାଇଲେ ସଫଳତା

ନୂଆଦିଲ୍ଲୀରେ ଥିବା ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଟପ୍ପର ହେଲେ ସମ୍ବଲପୁରର ପୁଅ ସୌମ୍ୟରଞ୍ଜନ ବଡପଣ୍ଡା ।

ସର୍ବଭାରତୀୟ ସ୍ତରରେ ବିଦ୍ୟାର୍ଥୀଙ୍କୁ ପଛରେ ପକାଇଲେ ସମ୍ବଲପୁର ପୁଅ

ସମ୍ବଲପୁର: ନୂଆଦିଲ୍ଲୀରେ ଓଡିଆ ପୁଅ ହାସଲ କରିଛନ୍ତି ସଫଳତା । ସର୍ବଭାରତୀୟ ସ୍ତରରେ ବିଦ୍ୟାର୍ଥୀଙ୍କୁ ପଛରେ ପକାଇଲେ ଓଡିଆ ପୁଅ । ପ୍ରମାଣ କରି ଦେଖାଇଛନ୍ତି ମନୋବଳ ଓ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ କୌଣସି ବାଧାବିଘ୍ନ । ମଧ୍ୟବିତ ପରିବାରରେ ଜନ୍ମ ହେଇ କିଭଳି ସଫଳତାର ଶୀର୍ଷକୁ ଛୁଇଁହୁଏ, ତାହାର ପ୍ରମାଣ ଦେଖିବାକୁ ମିଳିଛି ଆମ ଓଡିଆ ପୁଅଙ୍କ ପାଖରେ । ନୂଆଦିଲ୍ଲୀରେ ଥିବା ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଟପ୍ପର ହେଲେ ସମ୍ବଲପୁରର ପୁଅ ସୌମ୍ୟରଞ୍ଜନ ବଡପଣ୍ଡା । ସାରା ଭାରତରେ ଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଚଳିତ ବର୍ଷର ପୌରହିତ୍ୟ କର୍ମକାଣ୍ଡରେ ହେଲେ ଟପ୍ପର । ତେବେ ପୌରହିତ୍ୟ କର୍ମକାଣ୍ଡରେ ଟପ୍ପର ହେବା ସେ ହେଉଛନ୍ତି ପ୍ରଥମ ଓଡିଆ ପୁଅ ।
ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ବାହାମ ଗ୍ରାମ ପଂଚାୟତ ଖଲିଆପାଲି ଗ୍ରାମର ବିଶ୍ୱରଞ୍ଜନ ବଡପଣ୍ଡା ଓ କଲ୍ୟାଣୀ ବଡପଣ୍ଡାଙ୍କ ବଡ ପୁଅ ସୌମ୍ୟ । ବାପା ମା’ଙ୍କ ଆଦର୍ଶ ଓ ପରାମର୍ଶକ୍ରମେ ପୌରହିତ୍ୟ କର୍ମକାଣ୍ଡ ଶିକ୍ଷା ଗ୍ରହଣ କରୁଥିବା ସୌମ୍ୟ ଜଣେ ସୁବକ୍ତା, ସୁସଂଗଠକ ଓ ସମ୍ବଲପୁରୀ କଳା ସଂସ୍କୃତିର ଅନ୍ୟତମ ଯୁବ ପ୍ରତିଭା । ସୌମ୍ୟ ଗଙ୍ଗାଧର ମେହେର ୟୁନିଭର୍ସିଟିରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତର ହାସଲ କରିଥିବା ବେଳେ ସେ ସାମ୍ବାଦିକତା ମଧ୍ୟ କରିଛନ୍ତି । ଦିଲ୍ଲୀସ୍ଥିତ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପୌରହିତ୍ୟ କର୍ମକାଣ୍ଡରେ ଡିପ୍ଲୋମା କରୁଛନ୍ତି । ଏହା ସହ ବର୍ତମାନ ଶିକ୍ଷା ବୃତିକୁ ଆପଣାଇବା ପାଇଁ ବି.ଏଡ ମଧ୍ୟ କରୁଛନ୍ତି ।
ଶିକ୍ଷା ପ୍ରତି ଆଗ୍ରହ ସୌମ୍ୟ ଭବିଷ୍ୟତରେ ଜଣେ ଆଦର୍ଶ ସଂସ୍କୃତ ପ୍ରାଧ୍ୟାପକ ଏବଂ ଜଣେ ଆଦର୍ଶ କର୍ମକାଣ୍ଡି ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସମସ୍ତେ ପାଠ ପଢି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଇଚ୍ଛା ରଖିଥିବା ବେଳେ ସୌମ୍ୟ କିନ୍ତୁ କିଭଳି ଭାରତବର୍ଷର ପ୍ରତ୍ୟେକ ଲୋକମାନଙ୍କ କାମରେ ଆସିବ ତାହା କହିଛନ୍ତି । ସୌମ୍ୟ କହିଛନ୍ତି, ‘‘ଯଦି ସରକାର ସଂସ୍କୃତ ଭାଷାର ପ୍ରସାର ଓ ପ୍ରଚାର କରିବେ ତାହାଲେ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ଓ ବିଶ୍ୱରେ ମଧ୍ୟ ଲୋକମାନେ ସଂସ୍କୃତ ଭାଷାରେ ଜ୍ଞାନ ଆହରଣ କରିବା ସହ ରାମାୟଣ ଓ ମହାଭାରତ ବିଷୟରେ ମଧ୍ୟ ଜାଣିବେ । ବିଜ୍ଞାନରେ ଓ ଗଣିତରେ ଥିବା ସଂସ୍କୃତର ଭୁମିକା ସମ୍ମାହିତ ହୋଇ ବିଶ୍ୱ ଦରବାରରେ ମଧ୍ୟ ପହଂଚି ପାରିଛି । ଯଦି ଭାରତରେ ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧି ପାଇବ ଓ ଗୁରୁକୁଳ ପରମ୍ପରା ସହ ବୈଦିକ ପରମ୍ପରା ଯଦି ପୁଣି ଥରେ ଜାଗ୍ରତ ହେବ ତାହାଲେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛି ତାହାଲେ ତାହା ନିଶ୍ଚୟ ପୂରଣ ହୋଇପାରିବ । କାରଣ ଭାରତ ଆଜି ତା’ର ସଂସ୍କୃତି ଓ ପରମ୍ପରାକୁ ନେଇ ପରିଚିତ ।’’ ବୋଲି ସୌମ୍ୟ କହିଛନ୍ତି । ଏହି ସଫଳତା ପାଇଁ ସୌମ୍ୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ସୌମ୍ୟ ଏହି ସଫଳତା ପାଇଁ ତାଙ୍କ ବାପା, ମାଆ, ବନ୍ଧୁ, ପରିଜନ, ଗ୍ରାମବାସୀ ଓ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ।