ଫ୍ରଷ୍ଟ ଏବଂ ସୁଲିଭାନରେ ଟ୍ରେନିଂ ନେବେ ୫୦ ହଜାର ଯୁବକଯୁବତୀ: କାଲିଫର୍ଣ୍ଣିଆ ୟୁନିଭର୍ସିଟି ସହ ଓଡିଶାର MoU

ଓଡ଼ିଶା ସରକାର ଏବଂ କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ସରକାର ଓ ୟୁସି, ବାର୍କଲେ ଗବେଷଣା ପ୍ରକଳ୍ପରେ ସହଯୋଗ କରିବା ସହ ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରିବେ।

ଇକୋସିଷ୍ଟମ ବୃଦ୍ଧି ଉପରେ ୧୦୦୦ ଗବେଷକଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର: ସିଲିକନ୍ ଭ୍ୟାଲି ଗସ୍ତରେ ଯାଇଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଆଜି କାର୍ଲିଫର୍ଣ୍ଣିଆରେ ବିଭିନ୍ନ ସଂଗଠନର ବରିଷ୍ଠ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେ ପରିଦର୍ଶନ କରିବା ସହ ଫିଶର ସେଣ୍ଟର ଫର ବିଜନେସ୍ ଆନାଲିଟିକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଗୌଥିୟର ଭାସୁର, ହାସ୍ ସ୍କୁଲ ଅଫ୍ ବିଜନେସର କାର୍ଯ୍ୟକାରୀ ଡିନ୍ ଡ. ଡନ୍ ମୁର୍ ଏବଂ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ପ୍ରତିଷ୍ଠିତ ଅଧ୍ୟାପକଙ୍କୁ ଭେଟିଥିଲେ।

ଓଡ଼ିଶା ସରକାର ଏବଂ କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ସରକାର ଓ ୟୁସି, ବାର୍କଲେ ଗବେଷଣା ପ୍ରକଳ୍ପରେ ସହଯୋଗ କରିବା ସହ ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରିବେ। ହାଇଟେକ୍ କ୍ଷେତ୍ରରେ ମିଳିତ ପ୍ରଶିକ୍ଷଣ କର୍ମଶାଳା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ପାଖାପାଖି ୧୦୦୦ ଗବେଷକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସହଯୋଗର ପ୍ରଥମ ପର୍ଯ୍ୟାୟରେ ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଫିନଟେକ୍ ଏବଂ କୃଷି କ୍ଷେତ୍ରରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବ। ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ/ମେସିନ୍ ଲର୍ଣ୍ଣିଂ ଏବଂ ଜେନେରେଟିଭ୍ ଏଆଇ ଭଳି ଉଦୀୟମାନ ଜ୍ଞାନକୌଶଳ କ୍ଷେତ୍ରରେ ଭାଗିଦାରୀ ସାର୍ବଜନୀନ ବିତରଣ ବ୍ୟବସ୍ଥାରେ ଅଧିକ ପରିବର୍ତ୍ତନ ଆଣିବ।

ଏହି ଅବସରରେ ରାଜ୍ୟର ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ଆଗାମୀ ବର୍ଷରେ ମିଳିତ ଭାବେ ଆମ ଯାତ୍ରାରେ ସହଯୋଗ, ଜ୍ଞାନ ଆଦାନପ୍ରଦାନ, ସହଯୋଗ ଓ ଗବେଷଣାର ଅସଂଖ୍ୟ କ୍ଷେତ୍ର ରହିଛି, ଯାହା ଉଭୟ ସମାଜ ପାଇଁ ପ୍ରଚୁର ସଦ୍ଭାବନା ସୃଷ୍ଟି କରିବା ସହ ଲାଭଦାୟକ ହେବ ବୋଲି ମୁଁ ଆଶା କରୁଛି।

ଏହି ବୁଝାମଣାପତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରି ଓଡ଼ିଶାଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ, ବ୍ୟାପକ କ୍ଷେତ୍ରରେ ସହଯୋଗ ରଖୁଥିବା ଏହି ଭାଗିଦାରୀ ଓଡ଼ିଶାର ଗବେଷଣା ଓ ବିକାଶ ଇକୋସିଷ୍ଟମକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ଏହାର ଅଗ୍ରଗତିକୁ ପ୍ରୋତ୍ସାହିତ କରିବ।

୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ହୋଇଥିବା ପ୍ରଭାବଶାଳୀ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ ଏବଂ ଏହି ବୁଝାମଣାପତ୍ର ଓଡ଼ିଶାର ପରିବର୍ତନ ଯାତ୍ରାକୁ ଆହୁରି କିପରି ସହାୟକ ହେବ ସେ ବିଷୟରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମ ପରେ ପ୍ରତିନିଧି ଦଳ ଫ୍ରଷ୍ଟର ଅଧ୍ୟକ୍ଷ ଡେଭିଡ୍ ଫ୍ରିଗଷ୍ଟାଡ୍ ଏବଂ ପରାମର୍ଶଦାତା ସଂସ୍ଥା ସୁଲିଭାନଙ୍କୁ ଭେଟିଥିଲେ। ଭୁବନେଶ୍ୱରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା ପାଇଁ ଫ୍ରଷ୍ଟ ଆଣ୍ଡ ସୁଲିଭାନ୍ ପକ୍ଷରୁ ଲେଟର ଅଫ୍ ଇଣ୍ଟେଣ୍ଟ (ଏଲଓଆଇ) ଦାଖଲ କରାଯାଇଛି। ଏହି ସିଓଇ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପସଂସ୍ଥା ସହ ଭାଗିଦାରୀରେ ନିବେଶକ, ଉଦ୍ୟୋଗୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିବୃଦ୍ଧିଭିତ୍ତିକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। ଫ୍ରଷ୍ଟ ଏବଂ ସୁଲିଭାନ୍ ଦୁର୍ଗମ ସ୍ଥାନ ଏବଂ ଗ୍ରାମର ୫୦,୦୦୦ରୁ ଅଧିକ ଯୁବକଙ୍କ ପାଇଁ ବୈଷୟିକ କ୍ଷେତ୍ରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁବିଧା ପ୍ରଦାନ କରିବା ସହ ରାଜ୍ୟରେ ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ବ୍ୟାପକ ଫାଇଦା ଆଣିବ।

ଏହି ବୈଠକରେ ଆମାଜନ, ଆପଲ, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ, ଏଫିସେନ୍ସ, ୟୁନିସନ କ୍ୟାପିଟାଲ, ଆଇରନ୍ ପିଲରର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ। ସ୍କାଏୱାର୍କସ ସଲ୍ୟୁସନ୍ସର ବରିଷ୍ଠ ଉପାଧ୍ୟକ୍ଷ ତଥା ମହାପ୍ରବନ୍ଧକ ଶ୍ରୀ ୟୁସୁଫ ଜମାଲଙ୍କ ସହ ମଧ୍ୟ ଓଡିଶାର ପ୍ରତିନିଧି ଆଲୋଚନା କରିଛନ୍ତି। ସ୍କାଏୱାର୍କସ ସଲ୍ୟୁସନ୍ସ ଭାରତରେ ଏହାର ପ୍ରଥମ ପୁଞ୍ଜିନିବେଶ କରିବାକୁ ଚାହୁଁଛି ଏବଂ ପ୍ରତିନିଧି ଦଳ ଶ୍ରୀ ଜମାଲଙ୍କୁ ଓଡ଼ିଶାର “ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫାବଲେସ୍ ପଲିସି ୨୦୨୩” ବିଷୟରେ ଅବଗତ କରାଇଥିଲେ ଯାହାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ପ୍ରତିନିଧି ଦଳ ସ୍କାଏୱାର୍କସ ଟିମକୁ ଓଡ଼ିଶା ଗସ୍ତ କରି ରାଜ୍ୟରେ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଚାର କରିବାକୁ ନିମନ୍ତ୍ରଣ କରିଥିଲେ।