କଟକରେ ମହାମହିମ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଗସ୍ତରେ ଅଛନ୍ତି।

ମାରାଥନ କାର୍ଯ୍ୟକ୍ରମର ଜାଣନ୍ତୁ ବିବରଣୀ!

କଟକ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଗସ୍ତରେ ଅଛନ୍ତି। ଆଜି ସକାଳ ୯ଟା ୧୪ରେ କଟକରେ ପହଞ୍ଚି ପ୍ରଥମେ ମା’ କଟକ ଚଣ୍ଡୀମନ୍ଦିରରେ ପ୍ରାର୍ଥନା କରି ଭକ୍ତି ନିବେଦନ କଲେ ରାଷ୍ଟ୍ରପତି। ୧୦ଟା ୫୦ରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ୧୧.୧୫ ସୁଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଓ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି। ୧୧ଟା ୩୦ ସୁଦ୍ଧା ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଅବସରରେ ସ୍ମାରକପତ୍ର ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଏହି ଅବସରରେ ୧୯୯୯ କାରଗିଲ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ଜଜ୍ ଲାଉନ୍ସରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ୫୦ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ବେଳେ। ଅପରାହ୍ନ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ସେଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମ ସାରି ରାଜଭବନ ଅଭିମୁଖେ ଫେରିବେ।

ତେବେ ରାଷ୍ଟ୍ରପତି ମୁର୍ମୁ ଚଣ୍ଡୀମନ୍ଦିରରୁ ପୂଜାର୍ଚ୍ଚନା କରି ସାରି ବାହାରି ପ୍ରୋଟୋକଲ୍ ଭାଙ୍ଗି ଜନସାଧାରଣଙ୍କୁ ଭେଟି ହାତ ମିଳାଇବା ସହ ପିଲାମାନଙ୍କୁ ଚକୋଲେଟ୍ ମଧ୍ୟ ବାଣ୍ଟିବାର ଅତ୍ୟନ୍ତ ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ମୁର୍ମୁଙ୍କୁ ଶୈଳବାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ଫଟୋଚିତ୍ର ଉପହାର ମିଳିଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।