ଦୁଇଟି ପୃଥକ ନବଜାତକଙ୍କୁ ବିକ୍ରି

ଶନିବାର ଦୁଇଟି ପୃଥକ୍ ସ୍ଥାନରେ ଦୁଇଟି ନବଜାତକ ଶିଶୁଙ୍କୁ ବିକ୍ରି କରିଥିବା ଘଟଣା ସାମନାକୁ ଆସିଛି ।

ବଲାଙ୍ଗୀର ଓ ବାଲେଶ୍ୱରରେ ଘଟିଛି ପୃଥକ୍ ଘଟଣା

ବଲାଙ୍ଗୀର/ବାଲେଶ୍ୱର: ଶନିବାର ଦୁଇଟି ପୃଥକ୍ ସ୍ଥାନରେ ଦୁଇଟି ନବଜାତକ ଶିଶୁଙ୍କୁ ବିକ୍ରି କରିଥିବା ଘଟଣା ସାମନାକୁ ଆସିଛି । ଘଟଣାଟି କିଛି ଏମିତି । ବଲାଙ୍ଗୀରର ଟିଟିଲାଗଡରେ ଜଣେ ବାପା ନିଜର ୫ ଦିନର ଜନ୍ମ ହୋଇଥିବା ଶିଶୁକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଦେବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଟିଟିଲାଗଡର ଝଙ୍କଡପଡା ଗାଁର ସନ୍ତୋଷ ପଟେଲ । ଶେଖ୍ ରମଦାନଙ୍କ ମଧ୍ୟସ୍ଥତାରେ ସନ୍ତୋଷ କଳାହାଣ୍ଡିର ଜଣେ ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ସନ୍ତୋଷଙ୍କ ପତ୍ନୀ ପୁଷ୍ପା ଚତୁର୍ଥ ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ କଳାହାଣ୍ଡିର ଜଣେ ନିସନ୍ତାନ ବ୍ୟକ୍ତିଙ୍କୁ ସେ ତାଙ୍କ ଶିଶୁଙ୍କୁ ବିକ୍ରି କରିଥିବା ଶେଖଙ୍କ ପତ୍ନୀ ଜରିନା ବେଗମ କହିଛନ୍ତି । ତେବେ ଟିଟିଲାଗଡ ପୋଲିସ ସନ୍ତୋଷ ଓ ଶେଖଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନବଜାତ ଶିଶୁର ପିତାମାତା ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଭୋଗରାଇ ବ୍ଲକର ତଳାଡିପଡାର ସୁଷମା ଦାସ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ପରେ ସୁଷମା ଓ ତାଙ୍କ ପତ୍ନୀ ମୟୂରଭଞ୍ଜ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଦାରିଦ୍ର‌୍ୟତା କାରଣରୁ ଶିଶୁ ବିକ୍ରି କରିଥିବା ସୁଷମା କହିଛନ୍ତି । ପରେ ସିଡବ୍ଲୁସି ପ୍ରତିନିଧିଙ୍କ ସହାୟତାରେ ପୋଲିସ ଶିଶୁଟିକୁ ଉଦ୍ଧାର କରିଛନ୍ତି । ସିଡବ୍ଲୁସି ପ୍ରତିନିଧି ସୁଶାନ୍ତ ରାଉତ କହିଛନ୍ତି ଏହି ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ ଆଇନଗତ ଦଣ୍ଡ ମିଳିବ ।