ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ
ସ୍କୁଲରେ ନାମଲେଖା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି।
ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି
ଭୁବନେଶ୍ବର: ସ୍କୁଲରେ ନାମଲେଖା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେତେକ ବିଦ୍ୟାଳୟ ବିଭିନ୍ନ ଶ୍ରେଣୀରେ ପିଲାଙ୍କ ନାମଲେଖା ପାଇଁ ଆଧାର କାର୍ଡ ଦାଖଲ କରିବାକୁ ଅଭିଭାବକଙ୍କୁ ବାଧ୍ୟ କରୁଥିବା ଜଣା ପଡିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହା ସ୍ପଷ୍ଟ କରିଛି।
ଆଧାର କାର୍ଡ ଥିବା କିମ୍ବା ନଥିବା ପିଲାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ଅନୁମତି ଦିଆଯିବ। ନାମଲେଖା ପରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ସହ ସମନ୍ୱୟ ରକ୍ଷା କରି ଛାତ୍ରଛାତ୍ରୀଙ୍କୁ ଆଧାର କାର୍ଡ ପାଇବାରେ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ନାମଲେଖା ପାଇଁ ଆଧାର ଏକ ବାଧ୍ୟତାମୂଳକ ପୂର୍ବ ଆବଶ୍ୟକତା ନୁହେଁ ବୋଲି ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଜାରି ଏକ ଚିଠିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-କମ-ସଚିବ ଅଶ୍ୱତୀ ଏସ୍ କହିଛନ୍ତି।