ରାଜ୍ୟସଭାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଲ୍ ପାରିତ
ମଙ୍ଗଳବାର ରାଜ୍ୟସଭାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍, ୨୦୨୩ ଗୃହୀତ ହୋଇଛି।
ରାଷ୍ଟ୍ରପତିଙ୍କୁ ପରିଚାଳନା କ୍ଷମତା ପ୍ରଦାନ କରିବ ଏହି ବିଲ୍
ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍, ୨୦୨୩ ଗୃହୀତ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୪ ତାରିଖରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା।
ଏହି ବିଲ୍ ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆକ୍ଟ ୨୦୧୭ରେ ସଂଶୋଧନ କରିବାକୁ ଦାବି କରାଯାଇଛି। ଏହା ଭାରତର ରାଷ୍ଟ୍ରପତିଙ୍କୁ ଏହି ଆଇନ ଅଧୀନରେ ଥିବା ପ୍ରତ୍ୟେକ ଅନୁଷ୍ଠାନର ଭିଜିଟର ଭାବରେ ମନୋନୀତ କରେ। ବର୍ତ୍ତମାନ ଏକ ସର୍ଚ୍ଚ-କମ-ସିଲେକ୍ସନ କମିଟିର ସୁପାରିସ ଆଧାରରେ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଦ୍ୱାରା ଏକ ଆଇଆଇଏମର ନିର୍ଦ୍ଦେଶକ ନିଯୁକ୍ତ କରାଯାଏ । ଏହି ବିଲ୍ ରେ ବୋର୍ଡକୁ କୌଣସି ଅନୁଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତ କରିବା ଏବଂ ହଟାଇବା ପୂର୍ବରୁ ଭିଜିଟରଙ୍କ ପୂର୍ବ ଅନୁମୋଦନ ନେବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସହ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଭିଜିଟରଙ୍କ ଦ୍ୱାରା ମନୋନୀତ ହେବେ। ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ।
ଏହି ବିଲ୍ ଅନୁଯାୟୀ, କେନ୍ଦ୍ର ସରକାର କୌଣସି ଅନୁଷ୍ଠାନର ବୋର୍ଡକୁ ଭାଙ୍ଗିବା କିମ୍ବା ନିଲମ୍ବିତ କରିବା ପାଇଁ ସର୍ତ୍ତ ଏବଂ ପ୍ରକ୍ରିୟା ନିର୍ଦ୍ଧାରଣ କରିପାରିବେ। ଯଦି କୌଣସି ବୋର୍ଡକୁ ନିଲମ୍ବିତ କିମ୍ବା ଭଙ୍ଗ କରାଯାଏ, ତେବେ କେନ୍ଦ୍ର ସରକାର ୬ ମାସ ପାଇଁ କିମ୍ବା ନୂତନ ବୋର୍ଡ ଗଠନ ନ ହେବା ପର୍ଯ୍ୟନ୍ତ ଏକ ଅନ୍ତରୀଣ ବୋର୍ଡ ଗଠନ କରିବେ।