ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି କୃମିନାଶକ ଅଭିଯାନ
ରାଜ୍ୟରେ ମହିଳା ଓ ଶିଶୁଙ୍କ ମଧ୍ୟରେ କୃମି ସମସ୍ୟାର ମୁକାବିଲା ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କୃମିନାଶକ ଅଭିଯାନ ।
୧୯ଟି ଜିଲ୍ଲାରେ ଚାଲିବ ଅଭିଯାନ
ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁଙ୍କ ମଧ୍ୟରେ କୃମି ସମସ୍ୟାର ମୁକାବିଲା ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କୃମିନାଶକ ଅଭିଯାନ । ଅଗଷ୍ଟ ୧୦ରେ ଯେଉଁମାନେ ଟିକା ଦେବାରୁ ବଂଚିତ ହେବେ ସେମାନଙ୍କ ପାଇଁ ଅଗଷ୍ଟ ୧୭ ତାରିଖରେ କୃମିନାଶକ ମୋପ୍ ଅପ୍ ରାଉଣ୍ଡ ଅନୁଷ୍ଠିତ ହେବ । ରାଜ୍ୟର ୧ କୋଟି ହିତାଧିକାରୀଙ୍କ ପାଖରେ ପହଂଚିବା ପାଇଁ ଅଙ୍ଗନୱାଡି ଓ ବିଦ୍ୟାଳୟ ମାଧ୍ୟମରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଶିଶୁମାନେ ଅନ୍ତନାଳୀ କୃମିରୁ ମୁକ୍ତ ରହିବା ଏବଂ ପ୍ରଜନନ ବୟସର ମହିଳାଙ୍କୁ ରକ୍ତହୀନତା ହେବାରୁ ରକ୍ଷା କରିବା । ଅଗଷ୍ଟ ମାସରେ ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର, କଟକ, ଦେବଗଡ, ଗଜପତି, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ, ନୟାଗଡ ଓ ରାୟଗଡା ସମେତ ରାଜ୍ୟର ୧୯ଟି ଜିଲ୍ଲାରେ ଏହି ଅଭିଯାନ ଚାଲିବ । ଅନୁଗୁଳ, ବରଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଓ ମୟୂରଭଞ୍ଜ ସମେତ ୧୧ଟି ଖୠ-ଗଊଇ ଜିଲ୍ଲାର ୧-୨ ବର୍ଷର ପିଲାଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ।