୨୦୨୪ ଭିତରେ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ
୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ କିଛି ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।
ଦୁଇ ଦିନିଆ କଟକ ଗସ୍ତରେ ପାଣ୍ଡିଆନ
ଭୁବନେଶ୍ଵର,୯/୮/୨୩: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ କିଛି ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ପାଣ୍ଡିଆନ ଏବେ ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ ଅଛନ୍ତି।
ଦ୍ବିତୀୟ ଦିନରେ ପାଣ୍ଡିଆନ ବାଙ୍କୀର ମା’ ଚର୍ଚ୍ଚିକା ମନ୍ଦିର, ପରମହଂସସ୍ଥିତ ପରମହଂସନାଥ ଶିବ ମନ୍ଦିର ଓ ନିଆଳିସ୍ଥିତ ମାଧବାନନ୍ଦ ଜୀଉ ମନ୍ଦିର ପରିଦର୍ଶନ କରିବା ସହ ଶ୍ରଦ୍ଧାଳୁଙ୍କ ଉନ୍ନତ ସୁବିଧା ସୁଯୋଗ ସମ୍ପର୍କରେ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ମନ୍ଦିରର ରୂପାନ୍ତର ଏବଂ ଆନୁଷଙ୍ଗିକ ତୀର୍ଥଯାତ୍ରୀ/ ପର୍ଯ୍ୟଟନ ସୁବିଧାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ମନ୍ଦିରଗୁଡ଼ିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ବାଙ୍କୀ, ଡମପଡ଼ା, ବାରଙ୍ଗା, ଟାଙ୍ଗୀ ଚୌଦ୍ୱାର, ସାଲିପୁର ଓ ନିଶ୍ଚିନ୍ତ କୋଇଲି ବ୍ଲକରେ ୬୨୧ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଓ ଅନ୍ୟାନ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିବା ସହ ମାର୍ଚ୍ଚ ୨୦୨୪ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
କଟକରେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ବାଙ୍କୀ, ସାଲିପୁର, ନିଆଳି ଓ ପରମହଂସଠାରେ ଜନଅଭିଯୋଗ ସମାଧାନ ସଭାରେ ସେ ଅଂଶଗ୍ରହଣ କରିଥିଲେ। ସେ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ଗସ୍ତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା, କେନ୍ଦ୍ରୀୟ ଡିଭିଜନର ଆରଡିସି ସୁରେଶ ଦଳେଇ, ଆଇଜି ଆଶିଷ ସିଂହ, ଜିଲ୍ଲାପାଳ ତଥା ଡିଏମ୍ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକୀ ମିଶ୍ର, କଟକ ଏସପିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।