ସାପ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ସାପମାନଙ୍କୁ ଉଦ୍ଧାର କରିବା ଓ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।

ଜଙ୍ଗଲ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର: ସାପମାନଙ୍କୁ ଉଦ୍ଧାର କରିବା ଓ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଗାଇଡଲାଇନ୍ ଅନୁଯାୟୀ, କେବଳ ସାର୍ଟିଫାଏଡ୍ ସାପ ଧରାଳିମାନେ ହିଁ ରାଜ୍ୟର ସାପ ଉଦ୍ଧାର ଓ ମୁକ୍ତ କାର୍ଯ୍ୟରେ ନିୟୋଜିତ ହୋଇପାରିବେ, ନଚେତ୍ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେଉଁ କ୍ଷେତ୍ରରେ ସାପମାନଙ୍କ ଉପସ୍ଥିତି ଜୀବନ ପ୍ରତି ବିପଦ ସୃଷ୍ଟି କରେ ସେହି କ୍ଷେତ୍ରରେ ହିଁ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯିବ ।
ବିଷଧର ଏବଂ ଅବିଷାକ୍ତ ସାପମାନଙ୍କୁ ମଣିଷ ବସବାସରେ ପ୍ରବେଶ କରୁଥିବା ସାପମାନଙ୍କୁ ଉଦ୍ଧାର କରିବା ସୀମିତ ରହିବା ଦରକାର ।
ସାପର ପରିବେଶଗତ ମହତ୍ୱ, ସାପ ଚିହ୍ନଟ ଓ ସାପ କାମୁଡାରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଓଡିଶା ବନ ବିଭାଗ ସାର୍ଟିଫାଏଡ୍ ସାପ ଧରାଳିଙ୍କ ସେବା ବ୍ୟବହାର କରିବେ ।
ସାର୍ଟିଫାଏଡ୍ ସାପ ଧରାଳିମାନେ ସ୍ୱେଚ୍ଛାସେବୀ ଏବଂ ସେମାନଙ୍କ ସେବା ବାବଦରେ କୌଣସି ଦେୟ ଦେବା ପାଇଁ ଓଡିଶା ବନ ବିଭାଗର କୌଣସି ଦାୟିତ୍ୱ ରହିବ ନାହିଁ ।
ସାର୍ଟିଫାଏଡ୍ ସାପ ଧରାଳିଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।