ଇନଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର ଉଦଘାଟିତ

ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର ଉଦଘାଟିତ ହୋଇଯାଇଛିା

ସୃଷ୍ଟି ହେବ ନୂତନ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର(ବିପିଏମ୍‌) ଶାଖା ଆଜି ଭୁବନେଶ୍ୱର ପଟିଆସ୍ଥିତ ଇନଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବୈଦୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡା, ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଉଦଘାଟନୀ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ ଏବଂ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ୱାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିବା ସହ ନବସୃଜନ ଓ ଅଭିନବ ଉଦ୍ୟମତା ନୀତି ଜରିଆରେ ଗଭୀର ଆତ୍ମବିଶ୍ୱାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ଇନଫୋସିସ ଜାତୀୟ ସ୍ତରରେ, ବିଶେଷକରି ଓଡିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି । ବିଗତ ଅଢେଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇ.ଟି ସେବା ପ୍ରଦାନକାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ୱ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ରହିଛି । ମୁଁ ବିଶେଷ ଖୁସି ଯେ ଇନଫୋସିସ ଏହାର ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର ଓଡିଶାରେ ଆରମ୍ଭ କରିଛି । ଏହି କେନ୍ଦ୍ରର ସଂପ୍ରସାରଣ ଦ୍ୱାରା ଆମ ଯୁବପିଢିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆମ ପିଲାମାନେ ଏହି କେନ୍ଦ୍ରକୁ ଦେଶର ସର୍ବଶ୍ରେଷ୍ଠ ସେବା କେନ୍ଦ୍ରରେ ପରିଣତ କରିବାରେ ସଫଳ ହେବେ ବୋଲି ମୁଁ ଦୃଢ ନିଶ୍ଚିତ । ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ।


ଏହି ଅବସରରେ ବୈଦୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡା, ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ଓଡିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ୱାରା ଆକୃଷ୍ଟ ହୋଇ ଓଡିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନିଃସନ୍ଦେହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଇନଫୋସିସ ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଂଟ ସେଂଟର ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।
ଇନଫୋସିସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ସହକାରୀ ମୁଖ୍ୟ ସତୀଶ ଏଚ୍‌.ସି. ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସହଯୋଗର ଭୂରିଭୂରି ପ୍ରଶଂସା କରିଥିଲେ । ବର୍ତମାନ ଇନଫୋସିସ୍ ଭୁବନେଶ୍ୱରରେ ପାଖାପାଖି ୧୦,୦୦୦ କର୍ମଚାରୀ କାର୍ଯ୍ୟରତ, ଆଗାମୀ ଭବିଷ୍ୟତରେ ଏହି କ୍ଷମତାକୁ ୨୦,୦୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଛି, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହାଦ୍ୱାରା ଓଡିଶାର ଶିକ୍ଷିତ ଯୁବପିଢିମାନଙ୍କ ପାଇଁ ଅନେକ ସୁଯ୍ଧେଜ୍ଞ ସୃଷ୍ଟି ହେବ । ବି.ପି.ଏମ୍‌.ସେବାକେନ୍ଦ୍ର ମୁଖ୍ୟ, ଉପାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବି.ପି.ଏମ୍‌.ସେବା ବ୍ୟବସାୟ ମୁଖ୍ୟ, ଉପାଧ୍ୟକ୍ଷ ଶ୍ରୀ ନୀଲ୍ ମୋହନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।