ସ୍ବାଧୀନତା ଦିବସ ପରେଡରେ ଭାଗ ନେବେ ମୁଖ୍ୟମନ୍ତ୍ରୀ
ସ୍ୱାଧୀନତା ଦିବସ ଅବସରରେ ହେବାକୁ ଥିବା ରାଜ୍ୟ ସ୍ତରରେ ପତାକା ଉତୋଳନ କରିବାକୁ ଥିବା ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇଛି
ପ୍ରକାଶ ପାଇଲା କିଏ କେଉଁଠି ପତାକା ଉତୋଳନ କରିବେ
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ହେବାକୁ ଥିବା ରାଜ୍ୟ ସ୍ତରରେ ପତାକା ଉତୋଳନ କରିବାକୁ ଥିବା ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଭାଗ ନେବେ।
କନ୍ଧମାଳ ଜିଲ୍ଲାରେ ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ନିରଞ୍ଜନ ପୂଜାରୀ, କୋରାପୁଟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପ୍ରଦୀପ କୁମାର ଅମାତ, ବରଗଡ଼ରେ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଉଷା ଦେବୀ, କେନ୍ଦୁଝରରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅନୁଗୁଳରେ ପ୍ରତାପ କେଶରୀ ଦେବ, ରାୟଗଡ଼ାରେ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁରରେ ଟୁକୁନି ସାହୁ, ବଲାଙ୍ଗୀରରେ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ରେ ରାଜେନ୍ଦ୍ର ଢୋଲକିଆ, କଟକରେ ବିକ୍ରମ କେଶରୀ ଆରୁଖ, ବାଲେଶ୍ୱରରେ ସୁଦାମ ମାର୍ଣ୍ଡି, ଝାରସୁଗୁଡ଼ାରେ ଶାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ଅଶ୍ୱିନୀ କୁମାର ପାତ୍ର, କଳାହାଣ୍ଡିରେ ପ୍ରୀତି ରଞ୍ଜନ ଘଡ଼ାଇ, ମାଲକାନଗିରିରେ ତୁଷାରକାନ୍ତି ବେହେରା, ସୋନପୁରରେ ରୀତା ସାହୁ ଓ ଢେଙ୍କାନାଳରେ ବାସନ୍ତୀ ହେମ୍ବ୍ରମ ପ୍ରମୁଖ ରାଜ୍ୟ ମନ୍ତ୍ରୀ ଜିଲ୍ଲାସ୍ତରୀୟ ପରେଡରେ ଭାଗ ନେବା ସହଅଭିବାଦନ ଗ୍ରହଣ କରିବେ।
ସେହିପରି ବ୍ରହ୍ମପୁରରେ ଆରଡିସି (ଦକ୍ଷିଣ ଡିଭିଜନ) ଏବଂ ରାଉରକେଲାରେ ଆରଡିସି (ଉତ୍ତର ଡିଭିଜନ) ଜାତୀୟ ପତାକା ଉତ୍ତୋଳନ କରିବେ। ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ସ୍ୱାଧୀନତା ଦିବସ ପରେଡରେ ଭାଗ ନେବେ।